
ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାମଦାପାଳ ଗ୍ରାମରେ ଅଭାବନୀୟ ଘଟଣା। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ ବୈଦ୍ୟନାଥ ସିଂ। ଘଟଣାରେ ସ୍ତ୍ରୀ ଟୁନି ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ବୈଦ୍ୟନାଥ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ତାଙ୍କ ପୁଅ ଭଗତ ସିଂ ପୁଲିସର ୧୧୨ ଜରୁରୀକାଳୀନ ନମ୍ବରକୁ ଫୋନ୍ କରି ବାପା ମା’ଙ୍କୁ ମାରପିଟ୍ କରୁଥିବା ନେଇ ସୂଚନା ଦେଇଥିଲେ। ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘରେ ପହଞ୍ଚିବା ପରେ ଚଟାଣ ସାରା ରକ୍ତ ଜୁଡୁବୁଡୁ ହୋଇଥିବା ସହ କାଠ ଛାତ ଉପରେ ଟୁନି ସିଂଙ୍କ ମୃତଦେହ ପଡ଼ିଥିବା ଦେଖିଥିଲା। ଅନ୍ୟପଟେ ବୈଦ୍ୟନାଥ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଆହତ ହୋଇଥିଲେ।
ବାଙ୍ଗିରିପୋଷି ଅଗ୍ନିଶମ ବାହିନୀର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ପୁଲିସ ସୁରକ୍ଷାରେ ପ୍ରଥମେ ବାଙ୍ଗିରିପୋଷି ଓ ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।




