
ଦେବଗଡ଼:ବିଶ୍ବ ପରିବେଶ ଦିବସ ଅବସରରେ ଆଜି ଦେବଗଡ଼ ଜିଲ୍ଲାର ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ସହ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନ୍ ୧ ରୁ ୪ ତାରିଖ ମଧ୍ୟରେ ସ୍ୱଚ୍ଛ ଗାଁ ସୁରକ୍ଷିତ ଜଳବାୟୁ କାର୍ଯ୍ୟକ୍ରମରେ ହୋଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା। ଏହାସହିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ ଘରୋଇ ବର୍ଜ୍ୟବସ୍ତୁକୁ ଚାରିଟି ପୃଥକ ଶ୍ରେଣୀ ଓଦା ବର୍ଜ୍ୟ,ଶୁଖିଲା ବର୍ଜ୍ୟ, ସାନିଟାରୀ ବର୍ଜ୍ୟ ଏବଂ ବିଶେଷ ଯତ୍ନ ବର୍ଜ୍ୟ ଭାବରେ ପୃଥକୀକରଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ନିୟମ ଅନୁସାରେ ବର୍ଜ୍ୟବସ୍ତୁ ଖୋଲା ସ୍ଥାନରେ ପକାଇବା, ପୋଡ଼ିବା କିମ୍ବା ଜଳାଶୟରେ ଫିଙ୍ଗିବା ଦଣ୍ଡନୀୟ ଅପରାଧ ବୋଲି ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।ପଞ୍ଚାୟତ ସ୍ତରରେ ନୋଟିସ ବୋର୍ଡରେ ସଚେତନତା ବିଜ୍ଞପ୍ତି ପ୍ରଦର୍ଶନ, ଗ୍ରାମସଭାରେ ପାଠ କରାଯିବା ଏବଂ ସମସ୍ତ ୱାର୍ଡ ସଦସ୍ୟଙ୍କ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ସୂଚନା ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ଅଭିଯାନରେ ସ୍ୱଚ୍ଛତା, ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ, ପ୍ଲାଷ୍ଟିକ ବର୍ଜ୍ୟ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ ଦେବଗଡ଼ ପକ୍ଷରୁ ସମସ୍ତ ନାଗରିକଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ପାଳନ କରି ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।


