
ଦେବଗଡ଼:ପାହାଡ ପର୍ବତ ଘେରା ଝରାଗୋଗୁଆ ଅଞ୍ଚଳରେ ବଡ ବ୍ୟବସାୟ କରିବା ଉକ୍ତ ଅଂଚଳବାସୀଙ୍କ ପାଇଁ ସ୍ବପ୍ନ ଥିଲା। ଅଞ୍ଚଳବାସୀ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷବାସ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଝରାଗୋଗୁଆ ଗ୍ରାମରେ ଅଣ୍ଡା ଫାର୍ମ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା ଉଦ୍ୟୋଗୀ ଆରତୀ ପଟେଲ।ସୂଚନା ଅନୁଯାୟୀ,ଆରତୀ ୨୦୧୮ରେ ସରକାରୀ ପ୍ରୋତ୍ସାହନ ପାଇ ଆରମ୍ଭ କରିଥିଲେ ଆରତୀ ଅଣ୍ଡା ଫାର୍ମ। କଲେଜରୁ ଗ୍ରାଜୁଏସନ ପରେ ଘରେ ରହିଥିବା ଆରତୀଙ୍କ ସମ୍ପର୍କୀୟ ତାଙ୍କୁ ସରକାରଙ୍କ ପ୍ରୋତ୍ସାହନ ଯୋଜନା ସମ୍ପର୍କ ରେ ଜଣାଇବା ପରେ ସେ ଆଗ୍ରହ ସହ ଅଣ୍ଡା ଫାର୍ମ ଆରମ୍ଭ କରିଥିଲେ। ମାତ୍ର କୋଭିଡ ସମୟରେ ପ୍ରଥମ ଫେଜ ଅଣ୍ଡା ବାହାରିଥିବା ବେଳେ ଏହାର ବିକ୍ରି ପାଇଁ ବେଶ କଷ୍ଟ କରିଥିଲେ। ପ୍ରଥମ ପର୍ଯ୍ୟାୟ ରେ ଗୋଟିଏ ସେଡ କରି ଦଶ ହଜାର କୁକୁଡା ଚିଆଁ ରଖିଥିବା ଆରତୀ ଏବେ ଚାରୋଟି ସେଡ ରେ ଚାଳିଶ ହଜାର କୁକୁଡା ରଖିଛନ୍ତି। ଆରତୀ ଙ୍କର ଫାର୍ମରୁ ପ୍ରତ୍ୟେକ ଦିନ ପଇଁତିରିଶ ହଜାର ଅଣ୍ଡା ବାହାରୁଛି। ପୂର୍ବରୁ ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଥିବା ଦେବଗଡ ଜିଲ୍ଲା ଆରତୀଙ୍କ ଏହି ଫାର୍ମ ଆରମ୍ଭ ପରେ ଏବେ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଅଣ୍ଡା ଫାର୍ମ ପାଇଁ କୁକୁଡା ଚିଆଁ ସହ ଦାନା ମୁଖ୍ୟତଃ ଦରକାର ହୋଇଥାଏ। ବାହାରୁ କୁକୁଡା ଦାନା କ୍ରୟ କରିଲେ ଏହା ବ୍ୟୟବହୁଳ ହୋଇଥିବା ଯୋଗୁଁ ଆରତୀ ନିଜ ଫାର୍ମ ପରିସରରେ ଏକ ଦାନା ପ୍ରସ୍ତୁତ ଉଦ୍ୟୋଗ ସ୍ଥାପନ କରିଛନ୍ତି। ମକା, ସୋୟାବିନ, ମାର୍ବଲ ସାମଗ୍ରୀର ମିଶ୍ରଣ ରେ ଏହି କୁକୁଡା ଦାନା ପ୍ରସ୍ତୁତ କରାଯାଇ ଫାର୍ମ ରେ ଦିଆଯାଉଛି।ଏଥିପାଇଁ ତିରିଶ ଜଣ ନିୟୋଜିତ ରହିଥିବା ବେଳେ ଏହି ଫାର୍ମ ରେ କାର୍ଯ୍ୟ କରି ସେମାନେ ନିଜ ପରିବାର ପ୍ରତିପୋଷଣ କରିପାରିଛନ୍ତି।ଚାକିରୀ କରିବା ଅପେକ୍ଷା ନିଜେ ଉଦ୍ୟମ କରି ବ୍ୟବସାୟ କରି ଅନ୍ୟକୁ କର୍ମସଂସ୍ଥାନ ଯୋଗାଇବା ଉପର ବିଶ୍ବାସ କରନ୍ତି ଆରତୀ। ଆଉ ଏଥିରେ ସଫଳ ମଧ୍ୟ ସେ ହୋଇପାରିଥିବା ଆରତୀ କହିଛନ୍ତି।ନିଜ ପ୍ରତିଭା ଓ ପରିଶ୍ରମ ଦ୍ୱାରା କିପରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବା ସହ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ଏହି ମହିଳା ଉଦ୍ୟୋଗୀ।




