
କଟକ: ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ଅଦାଲତୀ ଝଟ୍କା ଲାଗିଛି। ମୂଳ ନିର୍ବାଚନୀ ମକଦ୍ଦମାକୁ ଖାରଜ କରିବାକୁ ନିବେଦନ କରି ମାମଲାର ପ୍ରତିପକ୍ଷ ତଥା ବିଧାୟକ ଶ୍ରୀ ସାହୁଙ୍କ ତରଫରୁ ଦାୟର ତିନୋଟି ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସାହୁଙ୍କ ଅନ୍ତରୀଣ ଆବେଦନକୁ ଖାରଜ କରିଛନ୍ତି। ମୂଳ ନିର୍ବାଚନୀ ମକଦ୍ଦମାର ଅନ୍ୟତମ ପ୍ରତିପକ୍ଷ ହେମନ୍ତ କୁମାର ପୃଷ୍ଟିଙ୍କ ପକ୍ଷରୁ ସମାନ ପ୍ରସଂଗ ନେଇ ଦାୟର କରାଯାଇଥିବା ଅନ୍ତରୀଣ ଆବେଦନକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଏଥି ସହିତ ଜୁନ ୨୫କୁ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ତରଫରୁ ଦାୟର ମୂଳ ନିର୍ବାଚନୀ ମକଦ୍ଦମାର ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବିଜେଡି ପ୍ରାର୍ଥୀ ଭାବେ ନୟାଗଡ଼ ଆସନରୁ ବିଧାୟକ ହୋଇଥିବା ଅରୁଣ କୁମାର ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ହାଇକୋର୍ଟରେ ନିର୍ବାଚନୀ ମକଦ୍ଦମା ଦାୟରକରିଥିଲେ। ଶ୍ରୀ ସାହୁ ସତ୍ୟପାଠରେ ସଂପତ୍ତି ସଂକ୍ରାନ୍ତରେ ସଠିକ ତଥ୍ୟ ଦେଇ ନଥିଲେ। ଏଥି ସହିତ ଶ୍ରୀ ସାହୁଙ୍କ ନାମାଙ୍କନପତ୍ର ରିଟର୍ଣ୍ଣିଂ ଅଫିସର ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏହି ନିର୍ବାଚନୀ ମକଦ୍ଦମାକୁ ଖାରଜ କରିବା ପାଇଁ ଶ୍ରୀ ସାହୁଙ୍କ ତରଫରୁ ତିନୋଟି ଅନ୍ତରୀଣ ଆବେଦନ ୨୦୨୪ରେ ଦାୟର କରାଯାଇଥିଲା। ନିର୍ବାଚନ ଆବେଦନ ଦାଖଲ କରିବା ବେଳେ ଆଇନରେ ଥିବା କେତେକ ବ୍ୟବସ୍ଥା ପାଳନ କରାଯାଇ ନାହିଁ, ଆବେଦନ ସହିତ ଫର୍ମ-୨୫ ସତ୍ୟପାଠ ସଂଲଗ୍ନ ହୋଇ ନାହିଁ, ଆବଶ୍ୟକ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ଓ ଅନ୍ୟାନ୍ୟ କାରଣ ଅନ୍ତରୀଣ ଆବେଦନ ଗୁଡ଼ିକରେ ଦର୍ଶାଯାଇଥିଲା।
୨୦୨୪, ଡିସେମ୍ବର ୧୧ରେ ବିଚାରାଧୀନ ଥିବା ମୂଳ ନିର୍ବାଚନୀ ମକଦ୍ଦମାରେ ହେମନ୍ତ କୁମାର ପୃଷ୍ଟିଙ୍କୁ ପ୍ରତିପକ୍ଷ ନମ୍ବର-୨ ଭାବେ ପକ୍ଷଭୁକ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେ ୧୮ରେ ହାଇକୋର୍ଟ ସମସ୍ତ ଚାରିଟି ଅନ୍ତରୀଣ ଆବେଦନର ଏକତ୍ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଶ୍ରୀମତୀ ସିଂଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।


