
କେନ୍ଦୁଝର: ସାରା ଦେଶରେ ଏବେ ପାଟଣା ବ୍ଲକ୍ର ଡିଆନାଳୀ ଗ୍ରାମର ଘଟଣା ଖବରର ଶିରୋନାମା ପାଲଟିଛି । ଅଳ୍ପ କେଇଟା ଟଙ୍କା ପାଇଁ ଗରିବ ଲୋକଟେ ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ କରିଛି । ଏହି ଘଟଣାରେ ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ରବିବାର ଦିନ ଶୁଦ୍ଧିକ୍ରିୟାରେ ପୁଣି ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଇପଡ଼ିଶା ଯୋଗଦେବେ । ସମାଜରୁ ବାସନ୍ଦ ହେବା ଭୟରେ ନିୟମ ଅନୁସାରେ ପୁଣିଥରେ ଶୁଦ୍ଧିକ୍ରିୟା ପାଇଁମୁଣ୍ଡା ସମ୍ପ୍ରଦାୟ ଚଳଚଞ୍ଚଳ ହୋଇପଡ଼ିଛନ୍ତି ।
କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଡିଆନାଳୀ ଗ୍ରାମର ଚତୁରୀସାହିରେ ବାସ କରୁଥିବା ଜିତୁ ମୁଣ୍ଡାର ପରିବାର ଅତ୍ୟନ୍ତ ଗରିବ ଓ ନିରକ୍ଷର । ଡିଆନାଳୀ ଗ୍ରାମରେ ପ୍ରାୟ ୧୦୦ ମୁଣ୍ଡା ଆଦିବାସୀ ପରିବାର ବସବାସ କରୁଛନ୍ତି । ତଳିଆ ମୁଣ୍ଡା ନାମକ ବ୍ୟକ୍ତିଙ୍କର ୪ ପୁଅ ଓ ୨ ଝିଅ ଜନ୍ମ ଗ୍ରହଣ କରିଥିଲେ । ରଇବ ମୁଣ୍ଡା, ଧନେଶ୍ୱର ମୁଣ୍ଡା, ଜିତୁ ମୁଣ୍ଡା ଓ ଶଙ୍କରା ମୁଣ୍ଡା । ଝିଅ ଦୁଇ ଜଣ ହେଉଛନ୍ତି କଲାରା ମୁଣ୍ଡା ଓ ଅନ୍ୟଜଣେ ଚତୁରୀ । ସେଥିମଧ୍ୟରୁ ରଇବ ଓ ଜିତୁ ଅବିବାହିତ । ଧନେଶ୍ୱର ଓ ଶଙ୍କର ବିବାହିତ । ଝିଅ ଦୁଇ ଜଣ ମଧ୍ୟ ବିବାହ କରିଥିଲେ । ରଇବ ଓ ଧନେଶ୍ୱରଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ୨ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଝିଅ କଲାରାଙ୍କ ସ୍ୱାମୀ ଓ ସନ୍ତାନଙ୍କ ମୃତ୍ୟୁ ପରେ ସେ ଭାଇ ଜିତୁଙ୍କ ନିକଟରେ ରହୁଥିଲେ । ଗତ ଜାନୁଆରୀ ୨୬ରେ ପେଟ ରୋଗ କାରଣରୁ କଲାରାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟ ରୀତିନୀତି ଅନୁସାରେ ମୃତଦେହ ସଂସ୍କାର କରାଯାଇଥିଲା । ଶୁଦ୍ଧିକ୍ରିୟା କରାଯିବା ପରେ ନିଜର ସାଧ୍ୟ ଅନୁସାରେ ଗାଁ ସାଇପଡ଼ିଶାକୁ ଡାକି ଭୋଜି ଦେଇଥିଲେ ୨ ଭାଇ ।କଲାରା ନାମରେ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଥିବା ଏକାଉଣ୍ଟରେ ଗୋରୁ ବିକ୍ରି ହୋଇଥିବା ୧୯ ହଜାର ୩ଶହ ଟଙ୍କା ଜମା କରାଯାଇଥିଲା । ଏହି ଟଙ୍କା ଉଠାଇବାକୁ ନେଇ ବିବାଦ ଦେଖାଦେବାରୁ ଭାଇ ଜିତୁ ମୁଣ୍ଡା ଭଉଣୀ ମୃତ୍ୟୁର ପ୍ରମାଣ ଦେବାକୁ ଯାଇ ମୃତଦେହକୁ ମାଟି ତଳୁ ଖୋଳି କାନ୍ଧରେ ବୋହି ଗତ ୨୭ ତାରିଖ ୩ କିଲୋମିଟର ଦୂରରେ ଥିବା ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଅଭାବନୀୟ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।
ତେବେ ମୃତଦେହକୁ ମାଟି ତଳୁ ଖୋଳି ବାହାର କରିବା ଓ ପରେ ପୋତିବାକୁ ନେଇ ପୁଣିଥରେ ଶୁଦ୍ଧିକ୍ରିୟା କରିବାକୁ ଜିତୁ ମୁଣ୍ଡା ଉପରେ ଚାପ ପଡ଼ିଥିଲା । ଶୁଦ୍ଧି ନହେଲେ ଗ୍ରାମରୁ ବାସନ୍ଦ ହେବା ଭୟ ରହିଥିଲା । ଏପରିକି ନିଆଁ, ପାଣି ବ୍ୟବହାର ବାରଣ ରହିଛି । ପରିବାର ଲୋକେ ଏନେଇ ବିଚାର ବିମର୍ଷ କରିଥିଲେ । ଯେହେତୁ ମାଟି ଖୋଳି ମୃତଦେହ ବାହାର କରାଯାଇ ପୁଣି ପୋତି ସଂସ୍କାର କରାଯାଇଛି ସେନେଇ ପୁଣି ଥରେ ଗାଁ ଭାଇଙ୍କୁ ନେଇ ଶୁଦ୍ଧ ହେବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା । ତଦନୁସାରେ ରବିବାର ୪ଶହ ଲୋକଙ୍କୁ ନେଇ ପୁଣି ଶୁଦ୍ଧକ୍ରିୟା ପାଇଁ ପ୍ରସ୍ତୁତି କରାଯାଇଛି । ସାଇପଡ଼ିଶା, ବନ୍ଧୁବାନ୍ଧବ ଏବଂ ପରିବାର ଲୋକଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା କରାଯାଇଛି । ଭୋଜିରେ ହାଣ୍ଡିଆ ସହିତ କୁକୁଡ଼ା ମାଂସ, ଭାତ, ଡାଲମା ପ୍ରଭୃତି କରାଯିବାକୁ ଚୂଡ଼ାନ୍ତ ହୋଇଥିବା ଜିତୁ ଓ ତାଙ୍କ ଭାଇ ଶଙ୍କରା ମୁଣ୍ଡା କହିଛନ୍ତି ।
