
ଭୁବନେଶ୍ୱର: ମେ’ ମାସକୁ ନେଇ ଡରାଇଲାଣି ବାତ୍ୟା ଆଶଙ୍କା । ଆମେରିକାସ୍ଥିତ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫଏସ୍ ପୂର୍ବାନୁମାନ ଦେଖାଉଛି, ବଙ୍ଗୋପସାଗରରେ ବାତ୍ୟା ଆସୁଛି । ସମ୍ଭବତଃ ମେ’ ୧୪-୧୬ ତାରିଖ ଭିତରେ ଏହା ଉପକୂଳରେ ମାଡ଼ ହୋଇପାରେ । ଏମିତିକି ଏହା ଓଡ଼ିଶା ଉପକୂଳରେ ପଶିବା ସମ୍ଭାବନା ଥିବା ନେଇ ଏହି ପ୍ରାକ୍ ଆକଳନ ଚିତ୍ରରେ ଦର୍ଶାଯାଇଛି । ସମ୍ଭାବ୍ୟ ବାୟୁର ଚାପ ଯାହା ଦେଖାଉଛି, ଏହା ଅତି ଶକ୍ତିଶାଳୀ ରୂପ ନେଇପାରେ ।
ମାତ୍ର ଅନ୍ୟ କୌଣସି ପାଣିପାଗ ମଡେଲ୍ ସମ୍ଭାବ୍ୟ ବାତ୍ୟା ନେଇ ଏବେ କିଛି ବି ପୂର୍ବାନୁମାନ କରିନାହାନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟ ଏ ନେଇ କୌଣସି ସୂଚନା ଦେଇନାହିଁ । ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ବାତ୍ୟା ଦାନା ବାନ୍ଧିବାକୁ ପାଗ ଅନୁକୂଳ ରହିଛି । ଲଘୁଚାପ ହୋଇପାରେ । ମାତ୍ର ଏହା ବାତ୍ୟା ହେବ କି ନାହିଁ, ଏତେ ଆଗରୁ କିଛି କହିହେବନି । ଏଠାରେ ମନେ ପକାଇ ଦେଉ ଯେ, ଗତ କିଛିବର୍ଷ ଭିତରେ ଖରାଦିନିଆ ବାତ୍ୟା ବଢ଼ିଛି । ୨୦୧୯ ମେ’ ୩ରେ ଓଡ଼ିଶାରେ ପ୍ରଳୟ କରିଥିଲା ଫୋନି ବାତ୍ୟା । ଜିଏଫଏସ୍ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ମେ’ ୯-୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଆଗକୁ ବଢ଼ିବା ସହ ୧୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଥାଇପାରେ । ୧୪-୧୫ ତାରିଖ ବେଳକୁ ଓଡ଼ିଶାରେ ମାଡ଼ ହୋଇପାରେ । ଯଦିଓ ଏହା ଭିନ୍ନ ଦିଗରେ ଯିବା ନେଇ ସକାଳେ ଜିଏଫଏସ୍ ପୂର୍ବାନୁମାନ କରୁଥିଲା, ତେଣୁ ଏବେଠାରୁ କିଛି ସ୍ପଷ୍ଟ ଆକଳନ କରି ହେବନି ।
ପାଣିପାଗ ବିଭାଗ ଆକଳନ କରିଛି, ତାପମାତ୍ରା ଏବେ ୨-୩ ଡିଗ୍ରୀ କମିବ । ସମୁଦ୍ର ଅଶାନ୍ତ ରହିବା କାରଣରୁ ୫ ଯାଏଁ ଉତ୍ତର ଉପକୂଳରେ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ପ୍ରତିଦିନ ୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ରହିବ । ରବିବାର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ୪୦ରୁ ୬୦ କିମି ପର୍ଯ୍ୟନ୍ତ ପବନ ହୋଇପାରେ ।
ଶନିବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ବୌଦ୍ଧ ୪୧.୬ ଓ ଝାରସୁଗୁଡ଼ା ୪୧.୧ ଡିଗ୍ରୀ ଥିଲା । ଉପକୂଳରେ ୩୫-୩୬ ଡିଗ୍ରୀ ଭିତରେ ରହିଥିଲା ତାପମାତ୍ରା । ପାରାଦୀପ, କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଚାନ୍ଦବାଲି, ବାରିପଦା ଓ ବଲାଙ୍ଗିର ସମେତ ବିଭିନ୍ନ ଜାଗାରେ କାଳବୈଶାଖୀ ବର୍ଷା ହୋଇଥିଲା ।
