
ବାଲେଶ୍ବର: ଜମ୍ମୁ କାଶ୍ମୀର ପାହଲଗାମ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଇଶାଣୀର ପ୍ରଶାନ୍ତ ଶତପଥୀ । ସ୍ତ୍ରୀ ଓ ପୁଅ ସହ ସେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ ପରିବାର ଲୋକଙ୍କୁ ଏନେଇ ଫୋନ ଯୋଗେ ଅବଗତ କରାଇଥିଲେ । ପରେ ପରିବାର ଲୋକେ ଅନନ୍ତନାଗ ପୋଲିସ ପକ୍ଷରୁ ଜାରି ହେଲ୍ପଲାଇନ୍ ନଂରେ କଲ କରି ନିଶ୍ଚିନ୍ତ ହୋଇଥିଲେ । ଏହି ଖବର ପାଇବା ପରେ ପରିବାରରୋ ଶୋକର ଛାୟା ଖେଳିଯାଇଛି । ପ୍ରଶାନ୍ତ ସିପେଟରେ ଆକାଉଣ୍ଟ ଆସିଷ୍ଟାଣ୍ଟ ଭାବେ କାର୍ୟ୍ୟ କରୁଥିଲେ।ଆତଙ୍କବାଦୀ ଆକ୍ରମଣର ଓଡ଼ିଶାର ୬୫ ବର୍ଷିୟ ଶଶିକୁମାରୀ ଆହତ ହୋଇଛନ୍ତି । ତାଙ୍କ ସ୍ବାମୀ ହେଉଛନ୍ତି ରଞ୍ଜିତ କୁମାର । ଆହତ ମହିଳାଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି ।ଆତଙ୍କୀ ଆକ୍ରମଣରେ ଓଡ଼ିଆ ପର୍ୟ୍ୟଟକଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ”ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି । ଆମ ସମାଜରେ ହିଂସାର ସ୍ଥାନ ନାହିଁ । ମୃତକଙ୍କ ପରିବାରକୁ ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏପରି କଠିନ ସମୟରେ ଓଡ଼ିଶା ପୀଡିତ ଓ ସେମାନଙ୍କ ପରିବାର ସହ ଛିଡା ହୋଇଛି ।”








