
ଦେବଗଡ଼ -ରଜ ସଜବାଜକୁ ନେଇ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର। କପଡା , ଫଳ ଦୋକାନ ମାନଙ୍କରେ ଜମିଲାଣି ଭିଡ଼ । କୁଆଁରୀମାନେ ସଜବାଜରେ ଲାଗି ପଡ଼ିଲେଣି।ପରମ୍ପରା ଅନୁଯାୟୀ କୁମାରୀମାନେ ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦି ଲଗାଇ ସଜାଇ ହେଉଛନ୍ତି । ରଜ ପର୍ବ ପାଇଁ ଗାଁ ମାନଙ୍କରେ ତାସ୍, ଲୁଡୁ, କ୍ରିକେଟ, କବାଡ଼ି ଖେଳର ଆସର ଜମିଲାଣି। ରଜ ମଉଜ ପାଇଁ ମାଂସ, ପିଠାପଣାର ମଜା ଆରମ୍ଭ ହୋଇଗଲାଣି । ମାଟି ଓ ମୌସୁମୀର ମିଳନର ପର୍ବ କୃଷକର ଭାବର ଆଦାନ ପ୍ରଦାନ ହେଉଛି ରଜ। ଆଦ୍ୟ ଆଷାଢ଼ର ପ୍ରଥମ ବର୍ଷାରେ ପୃଥିବୀ ଋତୁମତୀ ହେବା ପରେ ଖୁସିରେ ଉତ୍ସବମୁଖର ହୋଇଉଠେ ଚାରିଆଡ଼େ। ଖେଳିଯାଏ ଆନନ୍ଦର ମାହୋଲ। ଯାହାକି ରଜରେ କୃଷକର ଘରେ ଆନନ୍ଦ ଓ ଉଲ୍ଲାସ ଖେଳିଯାଏ। ମାତ୍ର ଗାଁ ମାଟିର ବାସ୍ନାରେ ବନ୍ଧା ଆମ ରଜଦୋଳି ଓ ଗୀତ କମି ଯାଉଛି। ରଜ ଆସିଲେ କୁଆଁରୀ ମାନଙ୍କ ଦୋଳିର ଆସର ସହିତ ‘ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ ଗୀତର ସ୍ୱର ସମସ୍ତଙ୍କ ମନରେ ଏକ ନୂତନ ଉଦ୍ଦୀପନା ସୃଷ୍ଟି ହୋଇଥାଏ।ବର୍ତ୍ତମାନ ଆଧୁନିକତାର ଦ୍ୱାହି ଦେଇ ଆଜିର ନୂଆ ପିଢ଼ି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି କି ଦୋଳି ଖେଳ ପ୍ରତି ଆଗ୍ରହ ଦେଖାଉନାହାନ୍ତି । ତେବେ ଓଡ଼ିଶାର ଜନଜୀବନ ସହ ଅତି ପରିଚିତ ଥିବା ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି! ଓଡ଼ିଆ ସଂସ୍କୃତି ଓ ପରମ୍ପରା ଠାରୁ ଦୁରେଇ ପାଶ୍ଚାତ୍ୟ ସଭ୍ୟତା କୁ ଜାବୁଡି ଧରିଥିବା ଆଜିର ସମାଜ ତାର ସେଇ ପୂର୍ବ ଗୌରବକୁ କେବେ ଫେରିବ ନା ଆଧୁନିକତାର ଚିନ୍ତାଧାରା ନେଇ ଆଗକୁ ବଢିବ ତାହା ଦେଖିବାକୁ ବାକି।


