
“ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଛି ରଜ
ଆସିଛି ରଜ ଲୋ , ନେଇ ନୂଆ ସଜବାଜ ବୋଉଳ ଲୋ
ନେଇ ନୂଆ ସଜବାଜ “
ଓଡ଼ିଶାର ଲୋକଜୀବନ, ସଂସ୍କୃତି ଓ ପରମ୍ପରାରେ ରଜ ପର୍ବର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା କେବଳ ଏକ ପର୍ବ ନୁହେଁ, ବରଂ ପ୍ରକୃତି, ନାରୀତ୍ୱ ଓ କୃଷି ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ। ଜ୍ୟେଷ୍ଠ ସଂକ୍ରାନ୍ତି ର ପୂର୍ବ ଦିନ ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ପାଳିତ ହେଉଥିବା ଏହି ପର୍ବ ଓଡ଼ିଆ ଘରେ ଘରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ପରିବେଶ ସୃଷ୍ଟି କରେ। ରଜ ଆସିଲେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଦେଖାଯାଏ ଏକ ନୂତନ ଉଦ୍ଦୀପନା। ଦୋଳି, ପୋଡ଼ପିଠା, ରଜଗୀତ ଓ ନୂଆ ପୋଷାକରେ ସଜିଉଠେ ସମଗ୍ର ଓଡ଼ିଶା।
‘ରଜ’ ଶବ୍ଦଟି ‘ରଜସ୍ୱଳା’ରୁ ଆସିଥିବା ବୋଲି କୁହାଯାଏ। ଲୋକବିଶ୍ୱାସ ଅନୁସାରେ ଏହି ସମୟରେ ଧରିତ୍ରୀ ମାତା ରଜସ୍ୱଳା ହୁଅନ୍ତି। ଯେପରି ଜଣେ ନାରୀ ରଜସ୍ୱଳା ସମୟରେ ବିଶ୍ରାମ ନିଅନ୍ତି, ସେହିପରି ଧରିତ୍ରୀ ମାତାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଏ। ତେଣୁ ଏହି ତିନି ଦିନ ଚାଷ କାମ, ମାଟି ଖୋଳିବା କିମ୍ବା ଧରିତ୍ରୀକୁ ଆଘାତ ଦେବା ଭଳି କାର୍ଯ୍ୟ ବର୍ଜନ କରାଯାଏ। ଏହି ପରମ୍ପରା ମାଧ୍ୟମରେ ଆମ ପୂର୍ବଜମାନେ ପ୍ରକୃତି ପ୍ରତି ସମ୍ମାନ ଓ ସଂରକ୍ଷଣର ବାର୍ତ୍ତା ଦେଇଛନ୍ତି।
ରଜ ପର୍ବ ଚାରି ଦିନ ଧରି ପାଳିତ ହୁଏ— ପହିଲି ରଜ, ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି, ଭୁଦାହ ବା ବାସି ରଜ ଓ ଶେଷ ଦିନ ବସୁମତୀ ସ୍ନାନ। ପହିଲି ରଜ ଦିନଠାରୁ ଝିଅ ଓ ମହିଳାମାନେ ନୂଆ ବସ୍ତ୍ର ପରିଧାନ କରି ଉତ୍ସବ ପାଳନ କରନ୍ତି। ଘରେ ଘରେ ପୋଡ଼ପିଠା, ଚକୁଳି ପିଠା, ଆରିସା ପିଠା ଓ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ ହୁଏ। ଦୋଳି ଖେଳିବା, ରଜଗୀତ ଗାଇବା ଓ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ଏହି ପର୍ବର ପ୍ରମୁଖ ଉଦ୍ଦେଶ୍ୟ ।
ଏହାକୁ ନାରୀତ୍ୱର ଉତ୍ସବ ଭାବରେ ମଧ୍ୟ ଦେଖାଯାଏ। ଏହି ସମୟରେ ଝିଅ ଓ ମହିଳାମାନଙ୍କୁ ବିଶେଷ ସମ୍ମାନ ଦିଆଯାଏ। ସେମାନଙ୍କ ଖୁସି ଓ ଆରାମକୁ ପ୍ରାଧାନ୍ୟ ଦିଆଯାଏ। ନାରୀ କେବଳ ପରିବାରର ନୁହେଁ, ସମାଜର ମଧ୍ୟ ଏକ ମହତ୍ୱପୂର୍ଣ୍ଣ ସ୍ତମ୍ଭ— ଏହି ଭାବନା ରଜ ପର୍ବ ମାଧ୍ୟମରେ ପ୍ରକାଶ ପାଇଥାଏ। ଆଜି ଯେତେବେଳେ ନାରୀ ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ନେଇ ଆଲୋଚନା ହେଉଛି, ସେତେବେଳେ ରଜ ପର୍ବ ଆମ ସଂସ୍କୃତିରେ ନାରୀ ସମ୍ମାନର ଏକ ପ୍ରାଚୀନ ଉଦାହରଣ ଭାବେ ଠିଆ ହୋଇଛି।
ଏହି ପର୍ବ ଓଡ଼ିଆ ଲୋକସାହିତ୍ୟକୁ ମଧ୍ୟ ସମୃଦ୍ଧ କରିଛି। ରଜଗୀତ ଏହାର ଏକ ଅମୂଲ୍ୟ ସମ୍ପଦ। ଏହି ଗୀତଗୁଡ଼ିକରେ ପ୍ରେମ, ପ୍ରକୃତି, ଗ୍ରାମ୍ୟ ଜୀବନ ଓ ସାମାଜିକ ଚିତ୍ର ସୁନ୍ଦର ଭାବେ ପ୍ରତିଫଳିତ ହୁଏ। ଦୋଳିରେ ଝୁଲି ଝିଅମାନେ ଯେତେବେଳେ ରଜଗୀତ ଗାଆନ୍ତି, ସମଗ୍ର ପରିବେଶ ସଙ୍ଗୀତମୟ ହୋଇଉଠେ। ଏହି ଲୋକଗୀତଗୁଡ଼ିକ ଓଡ଼ିଆ ସଂସ୍କୃତିର ସୌନ୍ଦର୍ଯ୍ୟ ଓ ସରଳତାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇଥାଏ।
ଆଧୁନିକତାର ପ୍ରଭାବରେ ଅନେକ ପରମ୍ପରା ଧୀରେ ଧୀରେ ହଜିଯାଉଥିବା ବେଳେ ରଜ ପର୍ବ ଆଜି ମଧ୍ୟ ତାହାର ମୌଳିକତା ବଜାୟ ରଖିଛି। ସହରାଞ୍ଚଳରେ ମଧ୍ୟ ରଜ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଠା ପ୍ରତିଯୋଗିତା ଓ ରଜ ମହୋତ୍ସବ ଆୟୋଜିତ ହେଉଛି। ସାମାଜିକ ଗଣମାଧ୍ୟମ ମାଧ୍ୟମରେ ରଜର ପରମ୍ପରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଓଡ଼ିଆମାନଙ୍କ ନିକଟରେ ମଧ୍ୟ ପହଞ୍ଚୁଛି। ଏହା ଆମ ସଂସ୍କୃତିର ବ୍ୟାପକ ପ୍ରସାର ଓ ଲୋକପ୍ରିୟତାର ପ୍ରମାଣ।
ଏହା ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ— ପ୍ରକୃତି ଓ ନାରୀ ଉଭୟଙ୍କ ପ୍ରତି ସମ୍ମାନ। ଧରିତ୍ରୀ ମାତାଙ୍କ ପ୍ରତି କୃତଜ୍ଞତା ଓ ନାରୀର ସୃଜନଶୀଳ ଶକ୍ତି ପ୍ରତି ଶ୍ରଦ୍ଧା ହିଁ ଏହି ପର୍ବର ମୂଳ ବାର୍ତ୍ତା। ଏହା କେବଳ ଆନନ୍ଦ ଓ ଉତ୍ସବର ଅବସର ନୁହେଁ, ବରଂ ସାମାଜିକ ମୂଲ୍ୟବୋଧ ଓ ସାଂସ୍କୃତିକ ଚେତନାର ଏକ ସଶକ୍ତ ପ୍ରତୀକ।
ରଜ ପର୍ବ ହେଉଛି ଓଡ଼ିଶାର ଗୌରବମୟ ପରମ୍ପରାର ଏକ ଜୀବନ୍ତ ଅଧ୍ୟାୟ। ଏହା ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟ, ଲୋକକଳା, ନାରୀ ସମ୍ମାନ ଓ ପ୍ରକୃତିପ୍ରେମର ଏକ ଅପୂର୍ବ ନିଦର୍ଶନ। ଆସନ୍ତୁ, ଆମେ ସମସ୍ତେ ଏହି ମହାନ ପର୍ବର ମୂଲ୍ୟବୋଧକୁ ସଂରକ୍ଷଣ କରିବା ଓ ଆଗାମୀ ପିଢ଼ି ପାଇଁ ଏହାକୁ ଅକ୍ଷୁର୍ଣ୍ଣ ରଖିବା। ରଜର ଉଲ୍ଲାସ, ଆତ୍ମୀୟତା ଓ ସାଂସ୍କୃତିକ ଐଶ୍ୱର୍ଯ୍ୟ ସଦାସର୍ବଦା ଓଡ଼ିଆ ମାଟିର ସୁଗନ୍ଧକୁ ଜୀବନ୍ତ ରଖୁ ଏତିକି କାମନା ।
ଶ୍ରୀମତୀ ଗୀତାଞ୍ଜଳୀ ଗନ୍ତାୟତ
ଅର୍ଥନୀତି ଅଧ୍ୟାପିକା
ଦୂରଭାଷ :୯୪୩୮୩୪୨୮୮୮


