
ଭୁବନେଶ୍ୱର: ଆସିଗଲା ଥଣ୍ଡା । ଅନୁମାନ କରାଯାଉଛି, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ଏଭଳି ପାଗ କିଛି ଦିନ ରହିପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।ଗତ ୨-୩ ଦିନ ଭିତରେ ରାତି ତାପମାତ୍ରା ସାମାନ୍ୟ କମିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସୟସ୍ ଥିବାବେଳେ ଦାରିଙ୍ଗିବାଡ଼ି ୧୫, ଭବାନୀପାଟଣା ୧୫, ଝାରସୁଗୁଡ଼ା ୧୬, ନବରଙ୍ଗପୁର ୧୬, କେନ୍ଦୁଝର ୧୬.୬, ରାୟଗଡ଼ା ୧୭ ଡିଗ୍ରୀ ସେଲସିୟସ୍ ଥିଲା ରବିବାର ରାତିରେ । ସୋମବାର ସନ୍ଧ୍ୟାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ହାଲୁକା ଶୀତୁଆ ପବନ ବହୁଥିଲା । ରାତିରେ ପାରଦ ଆହୁରି କମିପାରେ । ଉପକୂଳରେ ବି ପାରଦ ୨୦ ଡିଗ୍ରୀ ତଳକୁ ଆସିବା ନେଇ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତ୍ତମାନ ସାମାନ୍ୟ ଥଣ୍ଡା ରହିପାରେ । ତେବେ ପୂର୍ବ ଉତ୍ତରପ୍ରଦେଶରୁ କେନ୍ଦ୍ରୀୟ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ରହିପାରେ ଆସନ୍ତା ଦୁଇଦିନ ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରେ ରାତି ତାପମାତ୍ରା କ୍ରମାଗତ ଭାବେ କମିବାର ସମ୍ଭାବନା ରହିଛି । ଆଗାମୀ ୪୮ରୁ ୭୨ ଘଣ୍ଟା ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧୨ରୁ ୧୬ ଡିଗ୍ରୀ ରହିପାରେ । ଉପକୂଳ ଅଞ୍ଚଳରେ ପାରଦ ୧୭-୨୦ ଡିଗ୍ରୀ ରହିବା ସମ୍ଭାବନା ଅଛି । କନ୍ଧମାଳର ଫୁଲବାଣୀ, କୋରାପୁଟର ସିମିଳିଗୁଡ଼ା, ଝାରସୁଗୁଡ଼ା, କେନ୍ଦୁଝରରେ ଅଧିକ ଥଣ୍ଡା ରହିପାରେ ।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝରରେ ଗୋଟିଏ ଦୁଇଟି ଜାଗାରେ ଏ ବର୍ଷା ରହିପାରେ । ୧୩ରୁ ପାଗ ଶୁଖିଲା ରହିପାରେ ।





