
ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଏଲପିଜି ସଙ୍କଟ ଏବଂ ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତୀୟ ଗ୍ରାହକଙ୍କ ପାଇଁ ଦୁଇଟି ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଶକ୍ତି ନିରାପତ୍ତା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରିଥିବା ବେଳେ ଗ୍ୟାସ ସିଲିଣ୍ଡର ଦରକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଖୁସି ଖବର ହେଉଛି ଭାରତକୁ ଏଲପିଜି ଯୋଗାଣ ନେଇ । ଏଏନଆଇର ସୂଚନା ଅନୁଯାୟୀ, ଭାରତ ଆସୁଥିବା ଏଲପିଜି ଟ୍ୟାଙ୍କର ‘ଏମଭି ସନସାଇନ୍’ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ ପଥ ‘ହୋର୍ମୁଜ ପ୍ରଣାଳୀ’କୁ ସଫଳତାର ସହ ଅତିକ୍ରମ କରିଛି ।
ଏହି ଜାହାଜରେ ପ୍ରାୟ ୪୮,୪୫୬ ଟନ୍ ଏଲପିଜି ରହିଛି । ଯଦି ଏହାକୁ ସାଧାରଣ ସିଲିଣ୍ଡରରେ ହିସାବ କରାଯାଏ, ତେବେ ଏହା ପ୍ରାୟ ୩୪ ଲକ୍ଷ ସିଲିଣ୍ଡର ସହ ସମାନ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଜାହାଜ ଆସନ୍ତା ମେ ୧୮ ସୁଦ୍ଧା ଭାରତୀୟ ସୀମାରେ ପହଞ୍ଚିବାର ଆଶା କରାଯାଉଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ପଥ ଦେଇ ଯୋଗାଣ ବାଧାପ୍ରାପ୍ତ ହେବାର ଭୟ ଥିଲା । ଭାରତୀୟ ନୌସେନା ଏବଂ ସରକାରଙ୍କ ସ୍ୱତନ୍ତ୍ର ରଣନୀତି ଯୋଗୁଁ ଏହା ୧୫ତମ ଜାହାଜ ଭାବେ ସୁରକ୍ଷିତ ଭାବେ ବାହାରିଛି । ଆଉ ଗୋଟେ ଖୁସି ଖବରଟି ହେଉଛି ଗ୍ୟାସ ଦରକୁ ନେଇ । ଗତ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ ଆନ୍ତର୍ଜାତୀୟ ଚାପ ଯୋଗୁଁ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି ପାଇପାରେ । କିନ୍ତୁ ବର୍ତ୍ତମାନର ସୂଚନା ଅନୁଯାୟୀ, ତୈଳ କମ୍ପାନୀଗୁଡିକ ସିଲିଣ୍ଡର ଦରରେ କୌଣସି ବୃଦ୍ଧି କରିନାହାଁନ୍ତି । ବର୍ତ୍ତମାନ ପାଇଁ ୧୯ କେଜି କରର୍ସିଆଲ ସିଲିଣ୍ଡର ପୁରୁଣା ଦରରେ ହିଁ ଉପଲବ୍ଧ ହେଉଛି । ଯଦି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦର ସ୍ଥିର ରହେ, ତେବେ ଆଗାମୀ ଦିନରେ ଦର କମିବାର ସମ୍ଭାବନା ମଧ୍ୟ ରହିଛି ।
ଗ୍ଲୋବାଲ ପେଟ୍ରୋଲ ପ୍ରାଇସେସର ତଥ୍ୟ ଅନୁଯାୟୀ, ବିଶ୍ୱ ବଜାରରେ ଏଲପିଜିର ହାରାହାରି ମୂଲ୍ୟ ୮୬.୧୯ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଭାରତୀୟ ବଜାରରେ ଏହା ହାରାହାରି ୬୬.୭୩ ଟଙ୍କା ରହିଛି । ଅର୍ଥାତ୍ ବିଶ୍ୱର ଅନେକ ବିକଶିତ ଦେଶ ତୁଳନାରେ ଭାରତରେ ଏବେ ମଧ୍ୟ ଏଲପିଜି ମୂଲ୍ୟ ନିୟନ୍ତ୍ରଣରେ ଅଛି । ସରକାର ଏବଂ ତୈଳ କମ୍ପାନୀଗୁଡିକ ସୁନିଶ୍ଚିତ କରିଛନ୍ତି ଯେ ଦେଶରେ ଗ୍ୟାସର କୌଣସି ଅଭାବ ହେବ ନାହିଁ । ‘ଏମଭି ସନସାଇନ୍’ ଭାରତରେ ପହଞ୍ଚିବା ପରେ ଷ୍ଟକ୍ ସ୍ଥିତି ଆହୁରି ମଜବୁତ ହେବ, ଯାହା ଫଳରେ ଗ୍ରାହକମାନେ କୌଣସି ଆତଙ୍କିତ ନହୋଇ ସହଜରେ ଗ୍ୟାସ ପାଇପାରିବେ ।


