
ୱାଶିଂଟନ: ଏସୀୟ ଜଳସୀମାରେ ଆମେରିକା ନୌସେନା ଇରାନର ତିନିଟି ତୈଳ ଟ୍ୟାଙ୍କରକୁ ଅଟକ ରଖିଛି। ଅଟକ ଥିବା ଇରାନ ତୈଳ ଟ୍ୟାଙ୍କରଗୁଡିକ ଭାରତ, ମାଲେସିଆ ଓ ଶ୍ରୀଲଙ୍କା ଜଳସୀମା ନିକଟରେ ଗତି କରୁଥିଲେ। ଆମେରିକା ନୌସେନା ଇରାନ ବିରୋଧରେ ଚଳାଇଥିବା ସାମୁଦ୍ରିକ ଅବରୋଧ କ୍ରମରେ ଏହି ୩ ଜାହାଜକୁ ଅଟକ ରଖିଛି।ତୈଳ ଟ୍ୟାଙ୍କରକୁ ଅଟକା ଯିବା ପରେ ସେଗୁଡ଼ିକର ଗତିପଥ ବଦଳାଇ ଫେରିଯିବାକୁ ପରାମର୍ଶ ଦିଆଯାଇଛି। ଅଟକ ହୋଇଥିବା ଜାହାଜଗୁଡ଼ିକ ହେଲା ଡୋରେନା, ଡିପ୍ ସି ଓ ସେଭିନ୍। ଡୋରେନା ସୁପରଟ୍ୟାଙ୍କରଟି ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିଲା। ଏହାକୁ ଦକ୍ଷିଣ ଭାରତ ଉପକୂଳ ନିକଟରେ ଆମେରିକାର ଏକ ଯୁଦ୍ଧଜାହାଜ ଡେଷ୍ଟ୍ରୟର ଦ୍ୱାରା ଅଟକାଯାଇଛି। ଡିପ୍ ସି ଜାହାଜଟି ମାଲେସିଆ ଉପକୂଳ ନିକଟରେ ଅଟକ ହୋଇଛି। ଏଥିରେ ମଧ୍ୟ ବହୁ ପରିମାଣର ତୈଳ ରହିଥିଲା। ସେଭିନ୍ ଏକ ଛୋଟ ଟ୍ୟାଙ୍କର, ଯାହା ନିଜ କ୍ଷମତାର ପ୍ରାୟ ୬୫% ତୈଳ ନେଇ ଯାଉଥିବା ବେଳେ ଧରାପଡ଼ିଛି। ଆମେରିକା ଏବଂ ଇସ୍ରାଏଲ୍ର ଇରାନ ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ଇରାନର ସାମୁଦ୍ରିକ ବାଣିଜ୍ୟ ଉପରେ କଟକଣା ଲଗାଇଛି।
ହର୍ମୁଜ ପ୍ରଣାଳୀରେ ଇରାନ ପକ୍ଷରୁ ଲଗାଯାଇଥିବା ସାମୁଦ୍ରିକ ମାଇନ୍ସର ବିପଦକୁ ଏଡ଼ାଇବା ପାଇଁ ଆମେରିକା ନୌସେନା ଏବେ ଇରାନୀୟ ଜାହାଜକୁ ଟାର୍ଗେଟ୍ କରୁଛି। ଏହି ଅବରୋଧ ଯୋଗୁଁ ବିଶ୍ୱ ବଜାରରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି। ଏହାର ପ୍ରତିଶୋଧ ସ୍ୱରୂପ ଇରାନ ମଧ୍ୟ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଅନ୍ୟ ଦେଶର କଣ୍ଟେନର ଜାହାଜଗୁଡ଼ିକୁ ଜବତ କରିବା ଆରମ୍ଭ କରିଛି। ଆମେରିକାର କହିବା ଅନୁଯାୟୀ, ଏହି ଅବରୋଧ ଆରମ୍ଭ ହେବା ପରଠାରୁ ଇରାନର ୩୧ଟି ଜାହାଜକୁ ଫେରିଯିବାକୁ ନିର୍ଦେଶ ଦିଆଯାଇଛି।



