ଉଦ୍‌ଘାଟନୀ ମ୍ୟାଚ୍‌ରେ ସନ୍‌ରାଇଜର୍ସକୁ ହରାଇଲା ଆର୍‌ସିବି

ବେଙ୍ଗାଲୁରୁ : ଶନିବାରଠାରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ଶ ସଂସ୍କରଣ ଆରମ୍ଭ ହୋଇଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତବର୍ଷର ଚମ୍ପିଆନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବଡ଼ ସ୍କୋର୍‌ର ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ୬ ୱିକେଟ୍‌ରେ ଘରୋଇ ଆର୍‌ସିବି ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ୟ୍ୟୟ ପରେ ଅଧିନାୟକ ଈଶାନ୍ କିଷନଙ୍କ ଅର୍ଦ୍ଧଶତକ ଓ ଅନିକେତ ବର୍ମାଙ୍କ ଉପଯୋଗୀ ଇନିଂସ୍‌ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ହାଇଦରାବାଦ ୯ ୱିକେଟ୍‌ରେ ୨୦୧ ରନ୍‌ କରିଥିଲା। ପରେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଅର୍ଦ୍ଧଶତକ ବଳରେ ୨୬ଟି ବଲ୍‌ ବାକିଥାଇ ୪ ୱିକେଟ୍‌ ହରାଇ ଏକତରଫା ଭାବେ ଆର୍‌ସିବି ଜିତି ନେଇଥିଲା।
୨୦୨ ରନ୍‌ ଲକ୍ଷ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨ୟ ଓଭରରେ ଫିଲ୍‌ ସଲ୍‌ଟ (୮)ଙ୍କ ୱିକେଟ୍‌ ହରାଇଥିଲା। ଗୋଟିଏ ପଟେ ବିରାଟ କୋହଲି କଳାତ୍ମକ ବ୍ୟାଟିଂ କରୁଥିବା ବେଳେ ଇମ୍ପାକ୍ଟ ଖେଳାଳି ଭାବେ ଆସି ଦେବଦତ୍ତ ପାଡିକଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ୬ ଓଭରର ପାୱରପ୍ଲେରେ ଆର୍‌ସିବି ୭୬ ରନ୍‌ କରିଥିଲା। ବାମହାତି ପାଡିକଲ ମାତ୍ର ୨୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ବିରାଟ ଓ ପାଡିକଲ ଦ୍ବିତୀୟ ୱିକେଟ୍‌ ପାଇଁ ୫୧ ବଲ୍‌ରୁ ୧୦୧ ରନ୍‌ ଯୋଡ଼ି ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ୮.୪ ଓଭରରେ ଆର୍‌ସିବିର ସ୍କୋର୍‌ ୧୧୦ ରନ୍‌ ଥିବା ବେଳେ ପାଡିକଲ ଆଉଟ୍‌ ହୋଇ ଯାଇଥିଲେ। ଦେବଦତ୍ତ ପାଡିକଲ ୨୬ ବଲ୍‌ରୁ ୪ଟି ଛକା ଓ ୭ଟି ଚୌକା ସହ ୬୧ ରନ୍‌ କରିଥିଲେ। ପରେ ବିରାଟ କୋହଲି ଓ ଅଧିନାୟକ ରଜତ ପଟିଦାର ନିୟମିତ ବାଉଣ୍ଡରୀ ମାରି ଦ୍ରୁତଗତିରେ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ତୃତୀୟ ୱିକେଟ୍‌ ପାଇଁ ମାତ୍ର ୨୧ ବଲ୍‌ରୁ ୫୩ ରନ୍‌ ଯୋଡ଼ିଥିଲେ। ଶେଷ ୮ ଓଭରରୁ ଆର୍‌ସିବି ମାତ୍ର ୪୦ ରନ୍‌ ଆବଶ୍ୟକ କରୁଥିଲା। କ୍ରମାଗତ ୨ଟି ବଲ୍‌ରେ ପଟିଦାର ଓ ଜିତେଶ ଶର୍ମା ଆଉଟ୍‌ ହୋଇ ଯାଇଥିଲେ। ରଜତ ପଟିଦାର ବିଧ୍ବଂସୀ ବ୍ୟାଟିଂକରି ମାତ୍ର ୧୨ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୧ ରନ୍‌କରି ଆଉଟ୍‌ ହୋଇଥିଲେ। ଜିତେଶ ଖାତା ଖୋଲି ପାରିନଥିଲେ। ୩୩ ବଲ୍‌ରୁ ​କୋହଲି ୬୪ତମ ଆଇପିଏଲ୍‌ ଅର୍ଦ୍ଧଶତକ ପୂରଣ କରିଥିଲେ। କୋହଲି ଓ ଟିମ୍ ଡେଭିଡ୍‌ ଆର୍‌ସିବିକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ରନ୍‌ର ପିଛା କରିବାରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ୩୮ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୬୯ ଏବଂ ଅଷ୍ଟ୍ରେଲୀୟ ଟିମ୍‌ ଡେଭିଡ୍‌ ୧୦ ବଲ୍‌ରୁ ୧୬ ରନ୍‌କରି ଅପରାଜିତ ରହିଥିଲେ। ଡେଭିଡ୍‌ ପେନ୍‌ ୨ଟି ୱିକେଟ୍‌ ନେଇଥିଲେ। ବୋଲିଂ ହିରୋ ଜାକବ୍‌ ଡଫି ପ୍ଲେୟର ଅଫ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଘରୋଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ସନ୍‌ରାଇଜର୍ସ ହାଇଦରାବାଦର ମାରାତ୍ମକ ଓପ୍‌ନିଂ ଯୋଡ଼ି ୨ ଓଭରରେ ୧୮ ରନ୍‌ କରିବା ପରେ ୩ୟ ଓଭରରେ ଉଭୟଙ୍କ ୱିକେଟ୍‌ ହରାଇଥିଲା। ଅଭିଷେକ ଶର୍ମା ଓ ଟ୍ରାଭିସ୍‌ ହେଡ୍‌ ଲେଗ୍‌ସାଇଡ୍‌ରେ ଛକାମାରିବା ପ୍ରୟାସରେ ଆଉଟ୍‌ ହୋଇଥିଲେ। ଆଇପିଏଲ୍‌ ପଦାର୍ପଣରେ ନ୍ୟୁଜିଲାଣ୍ଡର ଫାଷ୍ଟବୋଲର ଜାକବ୍‌ ଡଫି ତାଙ୍କ ୨ୟ ଓଭରରେ ଉଭୟଙ୍କୁ ଆଉଟ୍‌ କରିଥିଲେ। ଅଭିଷେକ ଶର୍ମା ଗୋଟିଏ ଛକା ସହ ୮ ଓ ଅଷ୍ଟ୍ରେଲୀୟ ଟ୍ରାଭିସ୍‌ ହେଡ୍‌ ୨ଟି ଚୌକା ସହ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ଡଫି ତାଙ୍କ ୩ୟ ଓଭରରେ ନୀତୀଶ କୁମାର ରେଡ୍‌ଡୀ (୧)ଙ୍କୁ ଆଉଟ୍‌ କରିଥିଲେ। ୨୯ ରନ୍‌ରେ ସନ୍‌ରାଇଜର୍ସ ୩ଟି ୱିକେଟ୍‌ ହରାଇ ଥିଲା। ହେଲେ ପ୍ରଥମଥର ସନ୍‌ରାଇଜର୍ସ ଦଳର ନେତୃତ୍ବ ନେଇଥିବା ଈଶାନ୍ କିଷନ୍‌ ପ୍ରତ୍ୟାକ୍ରମଣ କରିଥିବା ବେଳେ ହେନ୍‌ରିକ କ୍ଲାସେନ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଦୁହେଁ ୬ଷ୍ଠ ଓଭରରୁ ୧୬ ରନ୍‌ ନେଇ ସ୍କୋର୍‌କୁ ୪୯ ରନ୍‌ରେ ପହଞ୍ଚାଇଥିଲେ। ଈଶାନ୍ ଓ ଦକ୍ଷିଣ ଆଫ୍ରିକାର କ୍ଲାସେନ୍‌ ଆକ୍ରମଣ କରି ୪ର୍ଥ ୱିକେଟ୍‌ ପାଇଁ ୫୨ ବଲ୍‌ରୁ ୯୭ ରନ୍‌ ଯୋଡ଼ିଥିଲେ। କ୍ଲାସେନ୍ ୨୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୨ ରନ୍‌ କରିଥିଲେ। ସଲିଲ ଅରୋରା ଗୋଟିଏ ଛକା ସହ ୯ ରନ୍‌ କରିଥିଲେ। ଫିଲ୍‌ ସଲ୍‌ଟଙ୍କ ଦର୍ଶନୀୟ କ୍ୟାଚ୍‌ରେ ଆଉଟ୍‌ ହୋଇଥିବା ଈଶାନ୍‌ କିଷନ୍ ୩୮ ବଲ୍‌ରୁ ୫ଟି ଛକା ଓ ୮ଟି ଚୌକା ସହ ବିସ୍ଫୋରକ ୮୦ ରନ୍‌ କରିଥିଲେ। ଅନ୍ୟ ବ୍ୟାଟ୍‌ସମ୍ୟାନ ବିଫଳ ହୋଇଥିବା ବେଳେ ଅନିକେତ ବର୍ମା ପ୍ରତ୍ୟାକ୍ରମଣ କରି ୧୮ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୪୧ ରନ୍‌ କରିଥିଲେ। ଜାକବ୍ ଡଫି ଓ ରୋମାରିଓ ସେଫର୍ଡ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

  • Related Posts

    ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

    ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

    Continue reading
    ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

    ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ