ଓଡ଼ିଆ ଅସ୍ମିତାକୁ ବର୍ଷ ବ୍ୟାପି ଜୀବନ ଶୈଳୀର ଅଂଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ପବିତ୍ର ଅବସରରେ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ “ଓଡ଼ିଆ ପକ୍ଷ ଉଦ୍ଯାପନୀ–୨୦୨୬” ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ କେବଳ ୧୪ଦିନରେ ସୀମିତ ରଖିବା ନୁହେଁ, ବରଂ ବର୍ଷ ବ୍ୟାପି ଜୀବନ ଶୈଳୀର ଅବିଛିନ୍ନ ଅଂଶ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଥିଲେ ଯେ, ‘ଓଡ଼ିଆ ପକ୍ଷ’ର ଏହି ସଫଳ ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ଅସ୍ମିତାର ଉଦ୍ଘୋଷଣା ଓ ଏକ ନୂତନ ସାଂସ୍କୃତିକ ଜାଗରଣର ଆରମ୍ଭ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାଂସ୍କୃତିକ ଆଧାର ବିନା ଆର୍ଥିକ ସମୃଦ୍ଧିର କୌଣସି ଅର୍ଥ ନାହିଁ । ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ହୋଇଥିବା ଐତିହାସିକ ସଂଘର୍ଷକୁ ସ୍ମରଣ କରି ସେ କହିଥିଲେ ଯେ, ଏହି ଆନ୍ଦୋଳନ ଆମର ଜାତୀୟ ପରିଚୟକୁ ସୁଦୃଢ଼ କରିଛି। ଗଙ୍ଗାଧର ମେହେର, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଫକୀରମୋହନ ସେନାପତିଙ୍କ ପରି ବରେଣ୍ୟ ସାହିତ୍ୟିକମାନଙ୍କ ଅବଦାନ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ ଦେଇଥିବାର ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଚଳିତ ବର୍ଷ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ‘ଓଡ଼ିଆ ପକ୍ଷ’ ପାଳନ ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ସମାଜର ପ୍ରତ୍ୟେକ ସ୍ତରରେ ଜାଗୃତ କରିବାର ଚେଷ୍ଟା କରାଯାଇଛି । ‘ଆମ ପୋଷାକ ଆମ ପରିଚୟ’ ଅଭିଯାନ ମାଧ୍ୟମରେ ପାରମ୍ପରିକ ହସ୍ତତନ୍ତ ବସ୍ତ୍ରର ପ୍ରଚାର, ‘ପ୍ରବେଶ ଉତ୍ସବ’ ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷାରେ ସାମିଲ କରିବା ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବ୍ୟବହାରକୁ ଜନଆନ୍ଦୋଳନର ରୂପ ଦେବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ସେହିପରି ଏହି ପକ୍ଷରେ ୧୮ହଜାରରୁ ଅଧିକ ‘ବର୍ଣ୍ଣବୋଧ’ ଓ ‘ଶିଶୁଲେଖା’ ପୁସ୍ତକ ବିତରଣ, ଏକ ଦିନରେ ରେକର୍ଡ଼ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ ଏବଂ ପିପିଲିରେ ଆୟୋଜିତ ଲୋକକଳା ରୋଡ୍ ଶୋ’ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ବୈଭବକୁ ଜାଗୃତ କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ପଖାଳ ପରମ୍ପରାର ବିଶ୍ୱସ୍ତରୀୟ ସ୍ୱୀକୃତି ଓ ଲୋକକଳାର ପ୍ରସାର ଓଡ଼ିଆ ସଂସ୍କୃତିର ଗୌରବକୁ ବଢ଼ାଇଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ଚଳିତ ବଜେଟ୍ରେ ୬୧୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଛଉ ନୃତ୍ୟର ସଂରକ୍ଷଣ ପାଇଁ ‘ଛଉ ଏକାଡେମୀ’ ପ୍ରତିଷ୍ଠା ଓ ବରପୁତ୍ରମାନଙ୍କ ଜନ୍ମପୀଠକୁ ସାଂସ୍କୃତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକାଶ କରିବା ପାଇଁ ଯୋଜନା ହୋଇଥିବା ସେ ଜଣାଇଥିଲେ । ସେ ପୁଣି କହିଥିଲେ ଯେ, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବଢ଼ାଇବା ସହ ସମସ୍ତ ବିଦ୍ୟାଳୟରେ ଓଡ଼ିଆ ପଢ଼ାଇବାକୁ ବାଧ୍ୟତାମୂଳକ କରାଯିବ। ଭିଜନ ୨୦୩୬ ଓ ୨୦୪୭ଲକ୍ଷ୍ୟ ଅନୁସାରେ ଓଡ଼ିଶାକୁ ଏକ ବିକଶିତ ଓ ସାଂସ୍କୃତିକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ଆହ୍ୱାନ କରିଥିଲେ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ବିଭିନ୍ନ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ରାଜ୍ୟ ସଂସ୍କୃତି ବିଭାଗର ଏହି ପ୍ରୟାସ ଆମ ଓଡ଼ିଆ ଚଳଣି, ପରମ୍ପରା, ସଂସ୍କୃତି ଓ ଖାଦ୍ୟ ପ୍ରଣାଳୀକୁ ପୁଣି ଥରେ ଘରେ ଘରେ ପହଞ୍ଚାଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ପ୍ରଥମ ଥର ପାଇଁ ଏକ ତାତ୍ପର୍ଯ୍ୟ ପୂର୍ଣ୍ଣ ଭାବେ ଆମ ସରକାର ଆସିବା ପରେ ଏହି ସମ୍ପୂର୍ଣ୍ଣ ପକ୍ଷ ପାଳନର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ବର୍ଗ ସମ୍ମାନ ଓ ଆନନ୍ଦର ସହ ବଞ୍ଚିବା ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଗତ ବର୍ଷ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ କାର୍ଯ୍ୟକ୍ରମ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟକୁ ସ୍ପର୍ଶ କରିଛି । ଓଡ଼ିଶାର ଘରେ ଘରେ ପରିଚିତି ଲାଭ କରି ରାଜ୍ୟରେ ଏକ ଗଣ ପର୍ବ ଭାବେ ବିବେଚିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତ ୧୪ ଦିନ ମଧ୍ୟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ ଯେ ଓଡ଼ିଆ ରୋଷେଇର ବିଶ୍ୱସ୍ତରୀୟ ପ୍ରଚାର ପାଇଁ ସେଲିବ୍ରିଟି ଶେଫ୍ ରଣବୀର ବ୍ରାର୍ ବ୍ରାଣ୍ଡ ଆମ୍ବାସାଡର ଏବଂ ଶେଫ୍ ଅବିନାଶଙ୍କୁ ‘ଓଡ଼ିଆ କ୍ୟୁଲିନାରୀ ଚାମ୍ପିଅନ୍’ ଭାବେ ମନୋନୀତ କରାଯାଇଛି। ଏଥି ସହ ଶେଫ୍ ଅଞ୍ଜୁ ଓ ମଞ୍ଜୁଙ୍କ ସହଯୋଗରେ ଏହି ଅଭିଯାନ ଓଡ଼ିଶାର ପାରମ୍ପରିକ ରୋଷେଇର କାହାଣୀ ଓ ବିଜ୍ଞାନକୁ ସଂରକ୍ଷିତ କରିବା ସହ ଏହାକୁ ତୃଣମୂଳ ସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ଆଶା ରଖା ଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆୟୁକ୍ତ ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ଟିଟିଲାଗଡ଼ ରାଜ୍ୟର ସବୁଠୁ ତତଲା ସହର

    ଭୁବନେଶ୍ୱର: ଜଳୁଛି ଓଡ଼ିଶା। ପଶ୍ଚିମରେ ଅସମ୍ଭାଳ ତାତି। ୪୦ ଡିଗ୍ରୀ ଉପରେ ୮ ସହର। ଗତକାଲି ୪୧.୭ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା ଟିଟିଲାଗଡ଼। ସେହିଭଳି ସମ୍ବଲପୁର ଏବଂ ହୀରାକୁଦରେ ୪୧.୫ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ…

    Continue reading
    OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି

    ଭୁବନେଶ୍ୱର: OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ବା OUSSSCର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ନୂତନ ପଦବୀ ସୃଷ୍ଟି କରିବାକୁ ସରକାର ଅନୁମୋଦନ ଦେଇଛନ୍ତି। ସଚିବ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ