
ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସକୁ ପୁଣି ତୃଣମୂଳ ସ୍ତରରୁ ସକ୍ରିୟ କରିବାକୁ ବଡ଼ କସରତ ଆରମ୍ଭ ହୋଇଛି । ନୂଆ ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇଙ୍କ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସଂଗଠନ ସଜାଡ଼ିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କ ସହ ମାରାଥନ ୱାନ୍-ଟୁ-ୱାନ୍ ବୈଠକ କରି ପ୍ରଭାରୀ ଦେଇଛନ୍ତି ଗୁରୁମନ୍ତ୍ର; ଗ୍ରାଉଣ୍ଡକୁ ଯାଅ, କର୍ମୀଙ୍କୁ ସକ୍ରିୟ କର, ଜନସମସ୍ୟାକୁ ନେଇ ଆନ୍ଦୋଳନ ଜୋରଦାର କର । ଆଉ ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ ମଧ୍ୟ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।
ପ୍ରଭାରୀଙ୍କ ଓଡ଼ିଶା ଗସ୍ତକୁ ନେଇ ସରଗରମ କଂଗ୍ରେସ ରାଜନୀତି । କଂଗ୍ରେସ ଭବନରେ ଜଣଙ୍କ ପରେ ଜଣେ ଜିଲ୍ଲା ସଭାପତି ନୂତନ ପ୍ରଭାରୀ ଲାଲଜୀ ଦେଶାଇଙ୍କୁ ଭେଟି ନିଜ ନିଜ ଜିଲ୍ଲାର ସଂଗଠନ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ଫିଡବ୍ୟାକ୍ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାର ସମସ୍ୟା, ସଂଗଠନ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଦଳୀୟ କାର୍ଯ୍ୟକଳାପକୁ ନେଇ ବିସ୍ତୃତ ସମୀକ୍ଷା ହୋଇଛି ।ସମୀକ୍ଷା ସହିତ ଜିଲ୍ଲା ସଭାପତିଙ୍କୁ ପ୍ରଭାରୀ ସ୍ପଷ୍ଟ ଗୁରୁମନ୍ତ୍ର ଦେଇଛନ୍ତି ଯେ, ଅଫିସ୍ ରାଜନୀତି ନୁହେଁ, ଗ୍ରାଉଣ୍ଡ ରାଜନୀତି କର । ଗାଁରୁ ବୁଥ୍ ପର୍ଯ୍ୟନ୍ତ କର୍ମୀଙ୍କୁ ସକ୍ରିୟ କର । ଜନତାଙ୍କ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଅ । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ମଜବୁତ କରିବା ସହ ଦଳକୁ ତୃଣମୂଳ ସ୍ତରରେ ପୁନର୍ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ଲାଲଜୀ ଦେଶାଇ । ମାଲକାନଗିରି ସମେତ ବିଭିନ୍ନ ଜିଲ୍ଲାର ସଭାପତିମାନେ ନିଜ ଅଞ୍ଚଳର ସାଙ୍ଗଠନିକ ସ୍ଥିତି ଓ ଜନସମସ୍ୟା ସମ୍ପର୍କରେ ପ୍ରଭାରୀଙ୍କୁ ଅବଗତ କରାଇଥିବା ବେଳେ, ଲୋକଙ୍କ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରଭାରୀ ପରାମର୍ଶ ଦେଇଥିବା କହିଛନ୍ତି ମାଲକାନଗିରି ଜିଲ୍ଲା ସଭାପତି
ଜି. ଶ୍ରୀନିବାସ ରାଓ ।
ସେପଟେ ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ଲାଲଜୀ ଦେଶାଇଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତ ଦଳୀୟ ସଂଗଠନରେ ନୂଆ ଉତ୍ସାହ ଆଣିଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, “ସଂଗଠନକୁ ଆହୁରି ସଶକ୍ତ କରିବା ଏବଂ ଜନଆନ୍ଦୋଳନକୁ ତୀବ୍ର କରିବା ଉପରେ ଦଳ ଧ୍ୟାନ ଦେଉଛି ।”
କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ କହିଛନ୍ତି, “ସମସ୍ତ ଜିଲ୍ଲା ସଭାପତିଙ୍କ ମତାମତ ଆଧାରରେ ଗ୍ରାଉଣ୍ଡ ରିୟଲିଟିର ଆକଳନ କରାଯିବ । କଂଗ୍ରେସ ସଂଗଠନକୁ କିଭଳି ଆଗକୁ ନିଆଯିବ ସେଥିପାଇଁ ଦୀର୍ଘମିଆଦି ରଣନୀତି ପ୍ରସ୍ତୁତ ହୋଇଛି । ଦୁର୍ନୀତି ଏବଂ ଜନବିରୋଧୀ ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ବିରୋଧରେ ଦଳ ଆନ୍ଦୋଳନ ଜୋରଦାର କରିବ । ଓଡ଼ିଶାରେ ଜନତାଙ୍କ ସ୍ୱାର୍ଥ ପାଇଁ ବିଜେପି ଓ ବିଜେଡି, ଉଭୟଙ୍କ ବିରୋଧରେ କଂଗ୍ରେସ ଲଢ଼ିବ ।”




