
ଭୁବନେଶ୍ୱର: କେନ୍ଦ୍ର ସରକାର ଚଳିତ ବର୍ଷ ଅକ୍ଟୋବର ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ବାବଦକୁ ୧.୮୭ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ବାର୍ଷିକ ଭିତ୍ତିରେ ଏଥିରେ ୯% ଅଭିବୃଦ୍ଧି ହୋଇଛି । ସମାନ ସମୟରେ ଓଡ଼ିଶାରେ ଜିଏସ୍ଟି ଆଦାୟ ୧୦% ବୃଦ୍ଧି ହୋଇ ୪୫୯୨ କୋଟି ଟଙ୍କା ଛୁଇଁଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି ।
ଘରୋଇ ବଜାରରେ ବିକ୍ରି ବୃଦ୍ଧି ଏବଂ ଅନୁପାଳନରେ ଉନ୍ନତି ଯୋଗୁ ଟିକସ ଆଦାୟ ବଢ଼ିଛି । ଅକ୍ଟୋବରର ସଂଗୃହିତ ମୋଟ ଜିଏସ୍ଟି ମଧ୍ୟରେ ୩୩,୮୨୧ କୋଟିର କେନ୍ଦ୍ର ଜିଏସ୍ଟି, ୪୧,୮୬୪ କୋଟିର ରାଜ୍ୟ ଜିଏସ୍ଟି ଏବଂ ୯୯,୧୧୧ କୋଟିର ସମନ୍ୱିତ ଜିଏସ୍ଟି ରହିଛି । ଏହି ମାସରେ ୧୨,୫୫୦ କୋଟିର କ୍ଷତିପୂରଣ ସେସ୍ ମଧ୍ୟ ଆଦାୟ ହୋଇଛି ।
ଘରୋଇ ବଜାରରେ ନେଣଦେଣରୁ ଟିକସ ୧୦.୬% ବୃଦ୍ଧି ହୋଇ ୧.୪୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ସେହିଭଳି ଆମଦାନିରୁ ପ୍ରତ୍ୟକ୍ଷ ଟିକସ ୪% ବଢ଼ି ୪୫,୦୯୬ କୋଟି ଟଙ୍କା ରହିଛି । ସରକାର ଏହି ମାସରେ ୧୯,୩୦୬ କୋଟିର ରିଫଣ୍ଡ ଜାରି କରିଛନ୍ତି । ଯାହା ୧୮.୨% ଅଭିବୃଦ୍ଧି ।



