
ରାଜସ୍ଥାନ: ମଙ୍ଗଳବାର ରାତିରେ ରାଜସ୍ଥାନର କରୌଲି ଜିଲ୍ଲାରେ ଏକ ଘରୋଇ ବସ୍ ଏବଂ କାର ମଧ୍ୟରେ ଏକ ଧକ୍କା ହୋଇଛି। ଦୁର୍ଘଟଣାରେ କାରରେ ଥିବା ୫ ଣଙ୍କର ମୃତ୍ୟୁ ହୋଇଥିବାବେଳେ ବସ୍ରେ ଥିବା ୧୫ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ଓ ବସ୍ ଖଣ୍ଡ ଖଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଗୋଟିଏ ପରିବାରର ବାପା-ମା’, ପୁଅ, ଝିଅ ଓ ଜଣେ ସମ୍ପର୍କୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ଡିଏମ ନୀଲାଭ ସାକ୍ସେନା, ଏସପି ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ଏବଂ ଏଏସପି ଗୁମନାରାମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କାର ଓ ବସ୍ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। କୁହାଯାଉଛି ଯେ, ମଧ୍ୟପ୍ରଦେଶ ଇନ୍ଦୋରର କିଛି ଲୋକେ କାର୍ରେ କୈଳା ଦେବୀଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ଦର୍ଶନ ସାରି ଫେରିବା ବେଳେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ମୃତ ବ୍ୟକ୍ତି ଇନ୍ଦୋରର ମୂଳ ବାସିନ୍ଦା ଯିଏ ଭଦୋଦାରେ ରହୁଥିଲେ ବୋଲି ପୁଲିସ କହିଛି। ସମସ୍ତ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ମାମଲାର ତଦନ୍ତ ଜାରି ରହିଛି।




