
ବାଙ୍କୀରେ ଏବେ ବିଚିତ୍ର ରାଜନୀତିକ ସ୍ଥିତି ସୃଷ୍ଟିହୋଇଛି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବିଜେଡ଼ିରୁ ନିଲମ୍ବିତ ହେବାପରେ ବାଙ୍କୀ ବିଜେଡ଼ିର ମଙ୍ଗ କିଏ ଧରିବେ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ବିଚାରବିମର୍ଷ ଜାରି ରହିଥିଲେବି ଦଳ କିନ୍ତୁ ନିଷ୍କର୍ସରେ ପହଁଚି ପାରିନାହିଁ । ସେପଟେ ବାଙ୍କୀ ବିଜେପିର ନୂଆ ମଙ୍ଗୁଆଳକୁ ନେଇ ବି ଛକାପଞ୍ଝା ଆରମ୍ଭ ହୋଇଯାଇଛି । କାହିଁକିନା ରାଜ୍ୟସଭା ନିର୍ବାଚନ ପରେ ଯେଉଁ କେତେକ ନିର୍ବାଚନମଣ୍ଡଳୀରେ ବିଜେପି ନେତାଙ୍କ ଅଙ୍କ ଗଡ଼ବଡ଼ ହୋଇଯାଇଛି ସେଥିମଧ୍ୟରୁ ବାଙ୍କୀ ଅନ୍ୟତମ ।
ବାଙ୍କୀରେ ଏବେ ଗଦାଗଦା ବିଜେପି ନେତା । ଆଜି ପର୍ଯ୍ୟନ୍ତ ବାଙ୍କୀରେ ବିଜେପି ଖାତା ଖୋଲିନଥିଲେବି ପୂର୍ବାପେକ୍ଷା ଶକ୍ତି ବଢ଼ିଚାଲିଛି । ଏମିତିବି ୧୯୯୦ରୁ ଏହା ଜନତା ଓ ବିଜେଡ଼ିର ଗଡ଼ରେ ରୂପାନ୍ତରିତ ହୋଇଛି । ଅବଶ୍ୟ ୨୦୦୪ରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ବିଜୟ ରଥରେ ବ୍ରେକ୍ ଲଗାଇଥିଲେ । ବାଙ୍କୀରେ ଏଯାବତ୍ ପ୍ରଭାତ ତ୍ରିପାଠୀ ଚାରି ଥର ଓ ତାଙ୍କ ପୁଅ ଦେବୀରଞ୍ଜନ ଦୁଇଥର ଜିତି ସାରିଛନ୍ତି । ରାଜ୍ୟସଭା ନିର୍ବାଚନରେ ଦେବୀ କ୍ରସଭୋଟିଂ କରିଥିଲେ । ସେ ଏବେ ବିଜେପିକୁ ମୁହାଁଇଛନ୍ତି । ତାଙ୍କୁ ଟିକେଟ ଦେବାକୁ ଦଳ ବି ପ୍ରତିଶ୍ରୁତି ଦେଇଛି । ଏମିତିକି ପ୍ରଭାତ ତ୍ରିପାଠୀ ନିକଟରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସହ ମିଶି ଦିଲ୍ଲୀରେ ଅମିତ୍ ଶାହଙ୍କ ଭେଟ ହୋଇଥିବା ଜାଣିବାକୁ ମିଳିଛି ।
ଅପରପକ୍ଷରେ ମୂଳ ବିଜେପି ନେତା ଚେକ୍ ଦେବାକୁ ରଣନୀତି କରୁଛନ୍ତି । ଏମିତିରେ ବାଙ୍କୀରେ ସବୁଥର ବିଜେପି ପ୍ରାର୍ଥୀ ବଦଳାଇବାର ନଜିର ରହିଛି । ୨୦୦୯ରେ ବାଙ୍କୀରୁ ଲଢ଼ିଥିଲେ ଶୁଭ୍ରାଂଶୁ ମୋହନ ପାଢ଼ୀ । ଏବେ ଦଳ ତାଙ୍କୁ କୃଷକ ମୋର୍ଚ୍ଚା ଦାୟିତ୍ୱ ଦେଇଛି । ତେବେ ୨୦୧୪ରେ ତାଙ୍କ ଟିକେଟ୍ କଟି ଯାଇଥିଲା । ଅଜୟ ସ୍ୱାଇଁ ବିଜେପି ଟିକେଟ ହାତେଇବାରେ ସଫଳ ହୋଇଥିଲେ । ୨୦୧୯ ବେଳକୁ ପୁଣି ବିଜେପି ରାଜନୀତି କଡ଼ ଲେଉଟାଇଥିଲା । ଶୁଭ୍ରାଂଶୁ ଦବଦବା ଜାହିର କରିବା ସହ ପୁଣି ଟିକେଟ ନେଇଥିଲେ । ସେଥର ଦଳର ଭୋଟ ପ୍ରଥମ ଥର ପାଇଁ ୩୨ ହଜାର ଟପି ଯାଇଥିଲା । ସେ ଆଶା ରଖିଥିଲେ ଚବିଶରେ ତାଙ୍କୁ ଟିକେଟ୍ ମିଳିବ । ହେଲେ ପୁଣି ବିଜେପି ଟିକେଟ୍ ବଦଳାଇ ଦେଇଥିଲା । ତୁଷାରକାନ୍ତ ଚକ୍ରବର୍ତ୍ତୀ ଟିକେଟ୍ ହାତେଇ ନେଇଥିଲେ । ୨୦୨୯ରେ ଟିକେଟ୍ ପାଇବାକୁ ଏହିସବୁ ନେତାମାନେ ଆଶାୟୀ ଥିଲେବି ଦେବୀରଞ୍ଜନ ଟିକେଟ୍ ରେସରେ ଆଗରେ ରହିଛନ୍ତି । ରାଜ୍ୟସଭା ନିର୍ବାଚନ ବେଳେ ତାଙ୍କୁ ମିଳିଥିବା ପ୍ରତିଶ୍ରୁତି ଦଳ ରଖିବ ବୋଲି ଜାଣିବାକୁ ମିଳିଛି । କେନ୍ଦ୍ରୀୟ ନେତୃତ୍ୱଙ୍କ ଠାରୁ ଦିଲ୍ଲୀପଙ୍କ ଜରିଆରେ ସେମାନେ ଏଭଳି ପ୍ରତିଶ୍ରୁତି ପାଇ ସାରିଛନ୍ତି ।
ଅପରପକ୍ଷରେ ଖୁବଶୀଘ୍ର ସଂତୃପ୍ତ ମିଶ୍ର ଏନେଇ ରଣନୀତି କରିବେ । ରାଜ୍ୟସଭା ସାଂସଦ ଥିବା ସଂତୃପ୍ତ ପୂର୍ବରୁ କଟକ ଲୋକସଭା ଆସନରୁ ବି ପ୍ରାର୍ଥୀ ଥିଲେ । ଏମିତିକି ୨୦୨୯ରେ ସେ ରାଜ୍ୟସଭା ସାଂସଦ ଥାଇ ପୁଣି ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । କଟକରେ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ସଂତୃପ୍ତ ଅଣ୍ଟା ଭିଡ଼ିଥିବାବେଳେ ବାଙ୍କୀ ସ୍ଥିତି ପରଖିବାକୁ ବିଜେଡ଼ି ବି ସ୍ୱତନ୍ତ୍ର କମିଟି କରିଛି । ଏନେଇ ଗୁପ୍ତ ଆଲୋଚନା ଚାଲିଥିବାବେଳେ ପଞ୍ଚାୟତ ନିର୍ବାଚନ ପରେ ହିଁ କିଏ ମଙ୍ଗ ଧରିବେ ସେନେଇ ନିଷ୍ପତ୍ତି ହେବ । ଏବେ ଦଳ ପଞ୍ଚାୟତ ନିର୍ବାଚନରେ ଦବଦବା ଜାହିର କରିବାକୁ ପ୍ରୟାସ କରିବ । ଅପରପକ୍ଷରେ ବିଜେଡ଼ି ଓ ବିଜେପିରେ ବାଦିପାଲା ଓ ଶୀତଳଯୁଦ୍ଧ ଚାଲିଥିବାରୁ ଦେବାଶିଷ ପଟ୍ଟନାୟକଙ୍କ ଆତ୍ମବିଶ୍ୱାସ ବଢ଼ିଚାଲିଛି । ନିକଟରେ ସେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଦେଇଛନ୍ତି । ବାଙ୍କୀରେ ତାଙ୍କର ୪୦ରୁ ୫୦ ହଜାର ଭୋଟ୍ ଥିବାରୁ ଆଗାମୀ ଦିନରେ ଉଭୟ ବିଜେଡ଼ି ଓ ବିଜେପି ଅସନ୍ତୁଷ୍ଟ କ୍ୟାମ୍ପ ତାଙ୍କୁ ଭୋଟ୍ ଦେବେବୋଲି ସେ ଆଶା ବାନ୍ଧିଛନ୍ତି ।







