
କି କଥା ଏଗୁଡ଼ା । ଡିସିଏମ ମାନେ ଡେପୁଟି ସିଏମ୍ । ସେ କେତେ ପାୱାରଫୁଲ୍ ? ପୁଣି ରାଇଜର ପ୍ରଥମ ମହିଳା ଡିସିଏମ୍ । ହାତରେ ଗଦାଗଦା ବିଭାଗ । କୋଟିଏ ମହିଳାଙ୍କୁ ବର୍ଷକୁ ୧୦ ହଜାର ଦେଉଛନ୍ତି । ସାରା ରାଜ୍ୟରେ ସୁଭଦ୍ରା ଶକ୍ତି ଛାଇଯାଇଛି । ମହିଳାମାନଙ୍କୁ ଆମ ପ୍ରଭାତୀ ଅପା ଏମିତି ଶକ୍ତିଶାଳୀ କରୁଛନ୍ତିଯେ, ସେମାନେ ସବୁ ପ୍ରତିକୂଳ ସ୍ଥିତିର ମୁକାବିଲା କରିପାରିବେ । ଆତ୍ମରକ୍ଷା ପାଇଁ ତାଙ୍କ ବିଭାଗ ସ୍କୁଲ କଲେଜ ଝିଅଙ୍କୁ ଫାଇଟିଂ ବି ଶିଖାଉଛି । ହେଲେ ସମୀର ଭାଇନା କହିଲେ, ଡିସିଏମଙ୍କ ଗାଲରେ ଚାପୁଡ଼ା ବସିବ । ତାଙ୍କର ଏଡେ଼ ବହପ, ଡିସିଏମଙ୍କୁ ଏମିତି କହିବେ । ଅବଶ୍ୟ ଭାଇନାଙ୍କ କହିବାର ମର୍ମ ହେଉଛି, ତାଙ୍କ ଅମଳରେ ନିମାପଡ଼ା ଏନଏସିରେ ଦୁର୍ନୀତି ପଶିପାରୁନଥିଲା । ସେ ପୂରା ବାଡ଼ି ପକାଇ ଜଗିଥିଲେ । ହେଲେ ଏବେ ଦୁର୍ନୀତି କୁଆଡେ଼ ଏନଏସି ମୁଖ୍ୟ ଗେଟ୍ ବାଟେ ପଶି ସବୁ ଚାମ୍ବରରେ ବସା ବାନ୍ଧିଲାଣି । ସେଇଥିପାଇଁ କୁଆଡେ଼ ଏନଏସି ନିର୍ବାଚନରେ ଡିସିଏମଙ୍କ ଗାଲରେ ଚାପୁଡ଼ା ବସିବ ।
ହେଲେ ଆମ ମଗଜରେ ଗୋଟେ ପ୍ରଶ୍ନ ଖୁଜୁବୁଜୁ ହେଉଛି । ଏନଏସିରେ ତ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ାହେବ । ଯଦି ପ୍ରଭାତୀ ହାରିବେ, ତେବେ ବିଜେପି ବି ହାରିବ । ଅତଏବ ବିଜେଡ଼ି ଜିତିବ । ତାହେଲେ ସମୀର ଭାଇନାଙ୍କର ଲାଭ କ’ଣ ? ସେ କ’ଣ ସ୍ୱାଧୀନ ପ୍ରାର୍ଥୀ ଦେଇ ଜିତାଇପାରିବେ? ଯଦି ସ୍ୱାଧୀନ ପ୍ରାର୍ଥୀ ଦେବେ, ବିଜେପିରୁ ନିଲମ୍ବିତ ହେବେ କି ନାହିଁ କହିଲେ… ।







