
ଭୁବନେଶ୍ୱର : ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଶନିବାର ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିପାଇଁ ଅନୁଷ୍ଠିତ ହେଉଥିବା କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖଡି ଛୁଆଁଇଛନ୍ତି। କୁନି କୁନି ପିଲାଙ୍କ ସହ ଭାବ ବିନିମୟ ପରେ ଖଡି ଛୁଆଁଇଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯାଇଛି।
ଚଳିତ ବର୍ଷ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ମୁଖ୍ୟାଳୟରୁ ‘ଶିକ୍ଷା ସଚେତନତା ରଥ’ ଆରମ୍ଭ କରାଯାଇଛି। ଏହି ସଚେତନତା ରଥ ଜିଲ୍ଲା ଓ ବ୍ଲକ୍ରେ ମଧ୍ୟ ବୁଲିବ। କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ଵୟନ ନିଶ୍ଚିତ କରିବା ପାଇଁ, ଜିଲ୍ଲା ଏବଂ ବ୍ଲକ୍ରେ କାର୍ଯ୍ୟକଳାପ ଆୟୋଜନ କରାଯିବ। ଛାତ୍ରଛାତ୍ରୀଙ୍କ ସହଭାଗିତା ଏବଂ ଅଂଶଗ୍ରହଣ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ ବିଦ୍ୟାଳୟଗୁଡ଼ିକରେ ବିଷୟବସ୍ତୁ ସମ୍ବନ୍ଧୀୟ କାର୍ଯ୍ୟକଳାପ କ୍ଷେତ୍ର, ଯଥା- ଗପ ରାଇଜ, ରଙ୍ଗର ଦୁନିଆ ଓ ଖେଳଘରର ସ୍ଥାନ ପାଇବ।
ଶିଶୁ ବାଟିକାରେ ନାମ ଲେଖାଉଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ‘ଯାଦୁଇ ପିଟାରା’ ବା ଯାଦୁ ପେଡ଼ିକୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟରେ ପ୍ରତ୍ୟେକ DIET ଦ୍ବାରା ଯାଦୁ ପେଡ଼ି ସାମଗ୍ରୀ ବିକଶିତ କରାଯାଇଛି। ପେଡ଼ିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପେନସିଲ୍, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି। ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ଯାଦୁ ପେଡ଼ି ରହିବ। ଏହାକୁ ଉଭୟ ଶିକ୍ଷକ ଓ ଅଭିଭାବକ, ଛାତ୍ରଛାତ୍ରୀ ବ୍ୟବହାର କରିବେ।




