
ଦେବଗଡ଼ -ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟ ଦେବଗଡ଼, ପରିସରରେ ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଵେ ଓଡ଼ିଶା କବାଡ଼ି ଆସୋସିଏସନର କନଭେନରତଥା ରାଜ୍ୟ ରେଫରୀ କବାଡ଼ି ପରିଷଦର ପୃଥିରାଜ ପଟ୍ଟନାୟକ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକା ଇପ୍ସିତା ପଟ୍ଟନାୟକ, ରାଜ୍ୟର ସଫ୍ଟବଲ,ବେସବଲ, କ୍ରିକେଟ ରିସୋର୍ସପର୍ସନ ବିଭୁଦତ୍ତ ରଥ,ଉଷୁ ଖେଳର ଆନ୍ତର୍ଜାତିକ ପ୍ରଶିକ୍ଷକ ସୁଶାନ୍ତ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପଦ୍ମିନୀ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଚ୍ଚ ବିଦ୍ୟାଳୟରୁ ମୋଟ୍ ୭୧ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣରେ ବିଦ୍ୟାଳୟ ସ୍ତରରେ କ୍ରୀଡ଼ାର ବିକାଶ ଛାତ୍ର ଛାତ୍ରୀଙ୍କୁ ନୂତନ କ୍ରୀଡ଼ା ପ୍ରତି ଅଧିକ ଆକୃଷ୍ଟ କରିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ସୁଚାରୁ ଆୟୋଜନ ସଂପର୍କରେ ଆଲୋଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ କ୍ରୀଡା ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।








