
ଭୁବନେଶ୍ୱର: ଆସନ୍ତା ଜୁନ ୧୨ ତାରିଖରେ ଓଡିଶାରେ ବିଜେପି ସରକାରକୁ ପୁରୁଛି ଦୁଇବର୍ଷ । ଏହି ଦୁଇ ବର୍ଷର ଅନେକ ଉପଲବ୍ଧିକୁ ନେଇ ବିଜେପି ପାଳନ କରିବ ବିଜୟ ଉତ୍ସବ । କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ । ଆସନ୍ତା ୨ ତାରିଖରୁ ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟ କରିବେ ।
ତେବେ ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ । ୨ ବର୍ଷର ପ୍ରଦର୍ଶନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସବୁ ବିଭାଗର ମନ୍ତ୍ରୀ ରିପୋର୍ଟ ଦେଉଛନ୍ତି । ଆସନ୍ତା ୯ ତାରିଖ ଭିତରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା ଶେଷ ହେବ ।
ଅନ୍ୟପକ୍ଷରେ ରିପୋର୍ଟ କାର୍ଡ ସମୀକ୍ଷା ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଗତ ୨ ବର୍ଷ ଭିତରେ ଆମ ବିଭାଗ ବହୁତ କାମ କରିଛି । ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜିନିବେଶ ଆସୁଥିଲା । ଏବେ ଅକ୍ଷୟ ଶକ୍ତି, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଧିକ ପୁଞ୍ଜି ଆସୁଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଆ ପିଲାଙ୍କୁ ବିଶ୍ୱସ୍ତରରେ ସଫଳତା ମିଳୁଛି । ସମସ୍ତ ଆଇଟିଆଇ କେନ୍ଦ୍ର ଗୁଡିକ ସଶକ୍ତ କରାଯାଇଛି। ୨ ତାରିଖ ଠାରୁ ମୁଖ୍ୟମନ୍ତ୍ରୀ ବିଭାଗ ୱାରୀ ସମୀକ୍ଷା କରିବେ। ଆମେ ଆମର ରିପୋର୍ଟ ପ୍ରସ୍ତୁତ କରୁଛୁ।


