
ଲକ୍ଷ୍ମୀପୁର: ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ଗିରଫ ହେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତାଙ୍କ ଡ୍ରାଇଭର ବିକାଶ ବାଗ। ତାଙ୍କୁ ଜିଆରପି ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ହୀରାଖଣ୍ଡ ଏକ୍ସପ୍ରେସରେ ଜଣେ ଆରପିଏଫ୍ ଗୁଇନ୍ଦା କର୍ମଚାରୀଙ୍କ ପରିବାର ଯାତ୍ରା କରୁଥିବା ବେଳେ ତାଙ୍କ ନାବାଳିକା ଝିଅକୁ ଅସଦାଚରଣ କରିଥିଲେ ବିକାଶ। ଏହାକୁ ନେଇ ନାବାଳିକାଙ୍କ ମାଆ ବିରୋଧ କରିବାରୁ ଯୁକ୍ତିତର୍କ ହୋଇଥିଲା।
ଘଟଣା ସମୟରେ ବିଧାୟକଙ୍କ ପିଏସଓ ମଧ୍ୟ ଟ୍ରେନରେ ଥିବା ବେଳେ ବିଧାୟକ ଅନ୍ୟ ଏକ ବଗିରେ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି। ନାବାଳିକାଙ୍କ ବାପା ରାୟଗଡ଼ା ଜିଆରପି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବିକାଶ ବାଗଙ୍କୁ ଗରିଫ କରିଛି। ପକ୍ସୋ ଆଇନ ସମେତ BNSର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଏନେଇ ଲକ୍ଷ୍ମୀପୁର ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

