
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ ବିଦେଶୀ ନାଗରିକ।ହୋଟେଲରେ ବିଦେଶୀ ନାଗରିକମାନେ ରହିଥିବା ବେଳେ ଆଜି ସକାଳୁ ହିଁ ଅଗ୍ନିକାଣ୍ଡ ଘଟିଥିଲା। ଜୀବନ ବିକଳରେ ୨ ଜଣ ମହିଳା କେମିତି ହୋଟେଲରୁ ତଳକୁ ଡେଇଁଥିଲେ, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଥିବା ବେଳେ ହୋଟେଲର ଲାଇସେନ୍ସକୁ ନେଇ ଆସିଛି ସାଂଘାତିକ ଖବର। ଦିଲ୍ଲୀ ସରକାରଙ୍କ ବେଡ ଆଣ୍ଡ ବ୍ରେକପାଷ୍ଟ(ବିବି) ସ୍କିମ ଅନୁସାରେ ହୋଟେଲ ପ୍ଲୋରିଶ ଷ୍ଟେକୁ ସେବା ଉପଲବ୍ଧ ପାଇଁ ଅନୁମତି ମିଳିଥିଲା। ଏଠାରେ ୬ଟି ରୁମ ପାଇଁ ଲାଇସେନ୍ସ ମିଳିଥିଲା। କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି ହୋଟେଲ କର୍ତ୍ତୃପକ୍ଷ ୨୫ଟି ରୁମ ଖୋଲିଥିଲେ। ସବୁ ରୁମରେ ଅତିଥିମାନେ ରହିଥିବା ବେଳେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟିଥିଲା। ବେଡ ଆଣ୍ଡ ବ୍ରେକପାଷ୍ଟ(ବିବି) ସ୍କିମ ଅନୁସାରେ ପଞ୍ଜିକୃତ ପ୍ରତିଷ୍ଠାନକୁ ସର୍ବାଧିକ ୮ଟି ରୁମ ଓ ୧୬ଟି ବେଡକୁ କାର୍ଯ୍ୟକ୍ଷମ କରିବାର ଅନୁମତି ରହିଛି। ତେଣୁ ଏଠାରେ କେମିତି ୨୫ଟି ରୁମରେ ସେବା ଯୋଗା ଯାଉଥିଲା ଓ କେମିତି ନିୟମର ଉଲ୍ଲଙ୍ଘନ ହେଲା, ତା’କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ପ୍ରଥମେ ଅଗ୍ନିକାଣ୍ଡ ଘଟିଥିବା ପ୍ରତିଷ୍ଠାନକୁ ଲେମନ ଗ୍ରୀନ ଇନ ଭାବେ ଚିହ୍ନଟ କରାଯାଇଥିଲା। କିନ୍ତୁ ଦିଲ୍ଲୀ ସରକାର ଏହା ଉପରେ ସ୍ପଷ୍ଟୀକାଣ ଦେଇ ଉକ୍ତ ପ୍ରତିଷ୍ଠାନର ନାଁ ଫ୍ଲୋରିଶ ଷ୍ଟେ ବୋଲି କହିଛନ୍ତି। ମାଲବୀୟ ନଗରର ହୌଜ ରାଣୀ ଅଞ୍ଚଳରେ ଏହା ରହିଛି।ସ୍ଥାନୀୟ ବିଧାୟକ ସତୀଶ ଉପାଧ୍ୟୟଙ୍କୁ ହୋଟେଲର ନିୟମ ଉଲ୍ଲଙ୍ଘନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲେ ହେଁ ସେ ଚୁପ ରହିଛନ୍ତି। କେବଳ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ହୋଟେଲ ମାଲିକଙ୍କ ବିରୋଧରେ ମାମଲା କରାଯାଇଥିବା ପୁଲିସ୍ ମଧ୍ୟ ନିଶ୍ଚିତ କରିଛି।
ରିପୋର୍ଟ ଅନୁସାରେ, ହୋଟେଲ ପାଖରେ କୌଣସି ପ୍ରକାରର ଅଗ୍ନି ନରାପତ୍ତା ପ୍ରମାଣପତ୍ର ନଥିଲା। ତଥାପି ଏଠାରେ ଅତିଥିମାନଙ୍କୁ ରଖାଯାଇ ସେବା ଯୋଗାଇ ଦିଆଯାଉଥିଲା। ସାକେତ ସ୍ଥିତି ମାକ୍ସ ହସ୍ପିଟାଲ ନିକଟ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଥିବା ଏହି ହୋଟେଲରେ ସକାଳ ପ୍ରାୟ ୮.୪୫ରେ ଅଗ୍ନିକାଣ୍ଡ ଘଟିଥିଲା।ଖବର ପାଇ ୧୦ରୁ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ। ସେମାନେ ନିଆଁ ଓ ଧୂଆଁକୁ ଆୟତ୍ତ କରି ହୋଟେଲରୁ ଲୋକଙ୍କୁ ବାହାର କରିଥିଲେ। ହେଲେ ସେତେବେଳକୁ ୨୧ ଜଣଙ୍କ ଜୀବନ ଚାଲି ଯାଇଥିଲା। ତଥାପି ଉଦ୍ଧାରକାରୀ ଟିମ ବାକି ୪୦ ଜଣଙ୍କୁ ଜୀବିତ ଅବସ୍ଥାରେ ବାହାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି। ମାକ୍ସ ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଉଦ୍ଧାରକାରୀ ଟିମ ମୋଟ ୩୯ ଜଣଙ୍କୁ ଏଠାକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ୧୫ ଜଣ ଆଇସିୟୁରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ସେମାନେ ଏବେ ଭେଣ୍ଟିଲେଟରରେ ରହିଛନ୍ତି। ସେହିପରି ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଜଣେ ରୋଗୀ ଅତ୍ୟନ୍ତ ଗୁରୁତର ଭାବେ ପୋଡ଼ି ଯାଇଥିବାରୁ ତାଙ୍କୁ ସଫଦର୍ଜଙ୍ଗ ହସ୍ପିଟାଲକୁ ପଠାଇ ଦିଆଯାଇଛି।


