
ଦେବଗଡ଼:ଦେବଗଡ଼ ଜିଲ୍ଲା କଣ୍ଟ୍ରାକ୍ଟର୍ସ ୟୁନିଅନ ପକ୍ଷରୁ ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ପାଇଁ ଦାବି କରାଯାଇଛି। ଏନେଇ ୟୁନିଅନ ପକ୍ଷରୁ ସମ୍ବଲପୁର ସ୍ଥିତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଉତ୍ତରାଞ୍ଚଳ (ରାସ୍ତା ଓ ଗୃହ) ମଣ୍ଡଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୟୁନିଅନର ସଭାପତି ଇଂ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଟେଣ୍ଡର ନୋଟିସ୍ ସଂଖ୍ୟା ସିସିଇ(ଆର ଏଣ୍ଡ ବି)/୨୩/୨୦୨୫-୨୬ରେ ନିୟମ ଉଲ୍ଲଂଘନ କରାଯାଇ ବିଡରମାନଙ୍କୁ ଯୋଗ୍ୟ ବିବେଚିତ କରିବା ପାଇଁ ବିଭାଗର ପ୍ରୟାସକୁ ଦୃଢ଼ ବିରୋଧ କରାଯାଇଛି।ଏହି ପ୍ରଶାସନିକ ଅବହେଳା ସରକାରୀ କ୍ରୟ ପ୍ରକ୍ରିୟାରେ ସମାନତା, ପ୍ରତିଯୋଗିତାମୂଳକ ନିରପେକ୍ଷତା ଏବଂ ସ୍ୱଚ୍ଛତାର ମୂଳ ନୀତିକୁ କ୍ଷତି ପହଞ୍ଚାଉଛି ବୋଲି ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି। ଦାବି ପତ୍ର ପ୍ରଦାନବେଳେ ୟୁନିଅନର ସାଧାରଣ ସମ୍ପାଦକ ଅନୁପମ ମୋଦୀ,ବରିଷ୍ଠ ଠିକାଦାର ନିରଞ୍ଜନ ମହାପାତ୍ର,ନନ୍ଦ କିଶୋର ମହାପାତ୍ର,ଅରବିନ୍ଦ ପ୍ରଧାନ,ତପନ ସାହୁ,ନିହାର ରଞ୍ଜନ ପଟେଲ,ସଚିନ ପ୍ରଧାନ,ମନୋଜ ବିଶ୍ୱାଳ,ଅବିନାଶ ମହାପାତ୍ର, ଅମନ ସାହୁ,ଜଗନ୍ନାଥ ନନ୍ଦ ଏବଂ ୟୁନିଅନର ଆଇନ ପରାମର୍ଶଦାତା ବିନୟ ପ୍ରଧାନ ଉପସ୍ଥିତ ଥିଲେ।ଏହାସହିତ ସମସ୍ତ ଅଯୋଗ୍ୟ ବିଡରଙ୍କୁ ବାଦ୍ ଦିଆଯାଉ, ସମ୍ପୂର୍ଣ୍ଣ ପୁନଃମୂଲ୍ୟାୟନ, ଆର୍ଥିକ ବିଡ୍ ପ୍ରକ୍ରିୟା ସ୍ଥଗିତ ରଖାଯାଉ, ସ୍ୱଚ୍ଛତା ବଜାୟ ରଖାଯିବା ସହ ସମସ୍ତ ସ୍ଥାନୀୟ ଏବଂ ନିୟମାନୁଯାୟୀ କାର୍ଯ୍ୟ କରୁଥିବା ଠିକାଦାରମାନଙ୍କ ପାଇଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ସମାନ ସୁଯୋଗ ନିଶ୍ଚିତ କରାଯାଉ ବୋଲି ୟୁନିଅନ ପକ୍ଷରୁ ଦାବି କରାଯାଇଛି।ବୈଷୟିକ ସ୍ତରରେ ଅଯୋଗ୍ୟ ବିଡ୍ ଗୁଡ଼ିକୁ ଚୟନ କରିବା ଓଡ଼ିଶା ଇ-ପ୍ରୋକ୍ୟୁରମେଣ୍ଟ ସିଷ୍ଟମ୍ର ମାନକ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଟେ। ଯଦି ବିଭାଗ ଏହି ସାଂଗଠନିକ ତ୍ରୁଟିଗୁଡ଼ିକର ସମାଧାନ ନକରି ଆର୍ଥିକ ବିଡ୍ ଖୋଲିବାକୁ ଆଗେଇ ଚାଲେ, ତେବେ ୟୁନିଅନ ଗଣତାନ୍ତ୍ରିକ ଆନ୍ଦୋଳନ କରିବା ସହ ଅନୁଷ୍ଠାନିକ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଆଇନଗତ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି।


