
ଭୁବନେଶ୍ୱର: ସୁନା ଦର ଆକାଶଛୁଆଁ, ତା’ ସାଙ୍ଗକୁ ୨୪ ଘଣ୍ଟାରେ ୩ ହଜାର ଟଙ୍କା ବଢ଼ିଛି। ଏହା ସତ୍ତ୍ବେ ଧନତେରାସରେ ସୁନା କିଣା ଆଗ୍ରହ କମିନି। ଶନିବାର ରାଜ୍ୟବ୍ୟାପୀ ଏକ କ୍ବିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଥିବା ଜଣାପଡ଼ିଛି। ନିଜ ନିଜର ଆର୍ଥିକ କ୍ଷମତା ଅନୁସାରେ ଲୋକେ ସୁନା କିଣିଛନ୍ତି। ସୁନା କିଣିବା ପରିସ୍ଥିତିରେ ନଥିବା ଲୋକେ ରୁପା କିଣି ସନ୍ତୁଷ୍ଟ ହୋଇଛନ୍ତି। ଗତକାଲି ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୨୭,୫୮୦ ଟଙ୍କା ରହିଥିଲା। ସେହିପରି ଗୋଟିଏ ଭରି ୨୨ କ୍ୟାରେଟ ସୁନା ମୂଲ୍ୟ ଗତକାଲି ତୁଳନାରେ ୩ ହଜାର ଟଙ୍କା ବୃଦ୍ଧି ପାଇ ୧,୨୧,୫୦୦ ଟଙ୍କା ରହିଛି। ଗତବର୍ଷ ଏହି ସମୟରେ ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୭୮ ହଜାର ଟଙ୍କା ଥିଲା।ଆଜି ଧନତେରାସ ଉପଲକ୍ଷେ ସକାଳୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା।
ଗୋଟିଏ ପଟେ ସୁନାର ଚଢ଼ା ଦର ଥିବାବେଳେ ଅନ୍ୟପଟେ ଗହଣା ବ୍ୟବସାୟୀ ମଧ୍ୟ ମନଲୋଭା ଅଫର ଦେବାକୁ ଭୁଲି ନ ଥିଲେ। ଗଢ଼ା ମଜୁରି ଉପରେ ୬୦% ପର୍ୟ୍ୟନ୍ତ ରିଆତି ଦିଆଯାଇଥିଲା। ତା’ସହିତ ଭଳିକି ଭଳି ନିଶ୍ଚିତ ଉପହାର ଏବଂ ସୁନା/ରୁପା ମୁଦ୍ରା ମାଗଣାରେ। ସେହିପରି ପୁରୁଣା ସୁନା ଉପରେ ମଧ୍ୟ ଭଲ ରିଆତି ଦିଆଯାଇଥିଲା। ରାଜଧାନୀ ଭୁବନେଶ୍ବର ହେଉ କିମ୍ବା ଛୋଟ ସହର, ଧନତେରସରେ ସୁନା କିଣିବା ପାଇଁ ଗ୍ରାହକଙ୍କ ଅଭାବ ନଥିଲା। ଏହି ଦିନରେ ସୁନା, ରୁପା କିଣି ଘରକୁ ଆଣିଲେ ଧନଲକ୍ଷ୍ମୀଙ୍କ କୃପା ମିଳିବା ବିଶ୍ବାସ ଥିବାରୁ ଅଧିକ ଦର ସତ୍ତ୍ବେ ଲୋକେ ଦୋକାନକୁ ଧାଇଁଥିଲେ। ଭୁବନେଶ୍ବରର କିଛି ପ୍ରମୁଖ ସୁନା ବ୍ୟବସାୟୀଙ୍କ କହିବା ଅନୁସାରେ ପୂର୍ବାପେକ୍ଷା ଏଥର ସୁନା ଦର ଢେର ବୃଦ୍ଧି ପାଇଛି।ଏଥର ବ୍ୟବସାୟ ମାନ୍ଦା ରହିବ ବୋଲି ଆଶଙ୍କା ଥିଲା




