
ଭୁବନେଶ୍ବର: ଦକ୍ଷିଣ-ପୂର୍ବ ଆରବ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଲାକ୍ଷାଦ୍ବୀପ, କେରଳ ଓ ଉପକୂଳ କର୍ଣ୍ଣାଟକ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ୩୬ଘଣ୍ଟାରେ ଏହା ଅବପାତ ରୂପ ନେବା ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଆରବ ସାଗରରେ ସୃଷ୍ଟ ଲଘୁଚାପ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ମାତ୍ର ଜିଏଫ୍ଏସ ମଡେଲ ସହ ଆଉ କିଛି ଘରୋଇ ପାଣିପାଗ ସଂସ୍ଥା ଅକ୍ଟୋବର ଶେଷ ଆଡ଼କୁ ଦୁଇଟି ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିବା ଆକଳନ କରିଛନ୍ତି। ତେବେ ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ କରିନାହିଁ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍ସଂଲଗ୍ନ ଦକ୍ଷିଣ–ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତା ୨୧ବେଳକୁ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପଶ୍ଚିମ–ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଏବଂ ସନ୍ନିହିତ ପଶ୍ଚିମ–ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ସମ୍ଭାବ୍ୟ ଅବପାତ ପ୍ରଭାବ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବ।
ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଦିଆଯାଇନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ(ଆଇଏମଡି ଡିଜି)ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ୨୧ ତାରିଖରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ଗତି ୩୦ରୁ ୪୦କି.ମି. ପବନ ବହିପାରେ। ୨୨ରେ ଏହା କ୍ରମଶଃ ବଢ଼ି ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ଓ ୨୩ରେ ୪୫ରୁ ୫୫ କି.ମି. ପବନ ବହିବାର ଆଶା କରାଯାଉଛି। ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ସୂଚନା ଜାରି କରାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଦକ୍ଷିଣ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଅଛନ୍ତି ସେମାନେ ୨୧ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ହେଲେ ଜିଏଫ୍ଏସ ମଡେଲ ଦେଖନ୍ତୁ ନାହିଁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଯାହା ପୂର୍ବାନୁମାନ କରାଯାଉଛି ତାକୁ ଦେଖନ୍ତୁ ବୋଲି ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି।




