
ବଢ଼ିଲା ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ । ତାଳଚୁଆର ନିଲମ୍ବିତ ଥାନା ଅଧିକାରିଣୀଙ୍କ ନାଁରେ ମାମଲା ରୁଜୁ । ପୀଡିତ ମାଆ ପୁଅଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କଲା ତାଳଚୁଆ ଥାନା ପୋଲିସ । ତାଳଚୁଆ ସାମୁଦ୍ରିକ ଥାନାରେ ମାଆ-ପୁଅଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ । ତଳେ ପକାଇ ଅତି ନିର୍ଦ୍ଦୟ ଭାବେ ମାଆପୁଅଙ୍କୁ ପିଟିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
ଯୁଆଡ଼େ ଯାଆନ୍ତି ନାଁ ପକାନ୍ତି ମ୍ୟାଡମ୍ ସଂଧ୍ୟାରାଣୀ ଜେନା । କେନ୍ଦ୍ରାପଡା ତାଳଚୁଆ ଥାନାର ପୂର୍ବତନ ଆଇଆଇସି । ସଙ୍ଗୀନ ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି ସଂଧ୍ୟାରାଣୀ । ଅଭିଯୋଗ ଅନୁସାରେ ଗିରିଆପାହୀ ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଏବଂ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ପାରିବାରିକ କଳହ ନେଇ ଥାନାକୁ ଆସିଥିଲେ । ଆଇଆଇସି ସନ୍ଧ୍ୟାରାଣୀ ଜେନା ଅନ୍ନପୂର୍ଣ୍ଣାଙ୍କ ଚୁଟି ଘୋଷାଡ଼ି, ଅର୍ଦ୍ଧ ଉଲଗ୍ନ କରି ନିର୍ମମ ଭାବେ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିବା ଅଭିଯୋଗ ହୋଇଥିଲା । ଅନନ୍ନପୂର୍ଣ୍ଣାଙ୍କ ପୁଅଙ୍କୁ ବି ସଂଧ୍ୟାରାଣୀ ଓ ତାଙ୍କ ଷ୍ଟାଫ୍ ପାଇଖାନାରେ ପୁରାଇ ନିସ୍ତୁକ ମାଡ଼ ମାରିଛନ୍ତି ।
ସଂଧ୍ୟାରାଣୀଙ୍କ ବିରୋଧରେ ପୂର୍ବରୁ ବି ମାଳମାଳ ଅଭିଯୋଗ ରହିଛି । ୨୦୨୦ରେ କେନ୍ଦୁଝର ପାଟଣା ଥାନାରେ ଜଣେ ଯୁବକଙ୍କୁ ମାଡ ମାରି ବିବାଦକୁ ଆସିଥିଲେ । ଝାରସଗୁଡ଼ାରେ ବି ଅଭିଯୁକ୍ତଙ୍କୁ ନିର୍ଯାତନା ଦେଇ ହୋଇଥିଲେ ସସପେଣ୍ଡ । ବାରମ୍ବାର ଥାନାରେ ଥାର୍ଡ ଡିଗ୍ରୀ ଦେଇ ସସପେଣ୍ଡ ହୋଇଥିଲେ ବି ସୁଧୁରିଲେନି ସଂଧ୍ୟାରାଣୀ ।


