
ନୂଆଦିଲ୍ଲୀ: ପାଇଲଟ ସ୍ମିତଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ କରି ପାଇଲଟ ସ୍ମିତ ମଚ୍ଛରଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପିଏମ୍ । କଥାବାର୍ତ୍ତା ବେଳେ କ୍ୟାପ୍ଟେନ୍ ସ୍ମିତ ଫ୍ଲାଏଦୁବାଇ ଘଟଣା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି ସମୟରେ ମୋଦି ତାଙ୍କର ସାହାସିକତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ଏବଂ ସ୍ମିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରାୟ ୯ ମିନିଟ୍ ଧରି କଥାବାର୍ତ୍ତା ଚାଲିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ସ୍ମିତଙ୍କୁ କହିଥିଲେ ଯେ, ସାରା ଦେଶ ତାଙ୍କ ସହ ଅଛି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରୁଛି ।
ଏତେ କଠିନ ପରିସ୍ଥିତିରେ ସଂଯମତା ରକ୍ଷା କରି ପରିସ୍ଥିତି ମୁକାବିଲା କରିବା ପାଇଁ ମୋଦି ସ୍ମିତଙ୍କୁ ପ୍ରଶଂସା କରିଥିଲେ । ଏହି ସମୟରେ ସ୍ମିତ ଭାବୁକ ହୋଇଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ଅନୁଭବ କରିଥିଲେ । ସ୍ମିତ କହିଥିଲେ ଯେ, ମୋଦି ତାଙ୍କ ପାଇଁ ଆଦର୍ଶ । ପ୍ରଧାନମନ୍ତ୍ରୀଙ୍କ ଫୋନ ଆସିବା ତାଙ୍କ ପାଇଁ ଗର୍ବର କଥା । ସେ କେବେ ଭାବିନଥିଲେ ଯେ, ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହେବେ ।
ବାର୍ତ୍ତାଳାପ ସମୟରେ ମୋଦି କହିଥିଲେ ଯେ, ଭାରତୀୟ କେବେ କାହାର ଜୀବନ ନେଇପାରିବେନି, ବରଂ ନିଜ ଜୀବନ ସହ ଖେଳି ଅନ୍ୟର ଜୀବନ ରକ୍ଷା କରିପାରିବେ । ଏବେ ଦେଶ ଏହା ଗର୍ବର ସହ କହିପାରିବ । ଆଲୋଚନା ବେଳେ ମୋଦି ସ୍ମିତଙ୍କ ମା ଗୀତା ବେନଙ୍କ ବିଷୟରେ କହିଥିଲେ । ସେ କହିଥିଲେ ଯେ, ଗୀତା ସ୍ମିତଙ୍କୁ ଭଗବତ ଗୀତାର ଶିକ୍ଷା ସଂସ୍କାର ଦେଇଥିଲେ ।
ସ୍ମିତ କହିଥିଲେ ଯେ, ସେ ବିପଦ ସମୟରେ ହନୁମାନ ଚାଳିଶା ପାଠ କରନ୍ତି । ଘଟଣା ଦିନ ବି ସେ ହନୁମାନ ଚାଳିଶା ପାଠ କରୁଥିଲେ । କଠିନ ସମୟରେ ଏହାହିଁ ତାଙ୍କୁ ଶକ୍ତି ଦିଏ ।







