
ଭୁବନେଶ୍ୱର,: ପିଏମ୍ ସେତୁ ଅଧୀନରେ ବିକଶିତ ହେବ ରାଜ୍ୟର ୫ ଆଇଟିଆଇ । ଏଥିପାଇଁ ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ସରକାର । କଟକ ସରକାରୀ ଆଇଟିଆଇ, ଚୌଦ୍ୱାରସ୍ଥିତ ମଧୁସୂଦନ ସରକାରୀ ଆଇଟିଆଇ ଏବଂ ପାରାଦୀପ, ଯାଜପୁର ଓ ଢେଙ୍କାନାଳସ୍ଥିତ ସରକାରୀ ଆଇଟିଆଇର ଉନ୍ନତୀକରଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଏହି କାର୍ଯ୍ୟକ୍ରମରେ କଟକ ସରକାରୀ ଆଇଟିଆଇ ମୁଖ୍ୟକେନ୍ଦ୍ର ଏବଂ ଅନ୍ୟମାନେ ଶାଖା କେନ୍ଦ୍ର ଭାବେ ଅନ୍ତର୍ଭୂକ୍ତ ହୋଇଛନ୍ତି । ପିଏମ୍ ସେତୁ କାର୍ଯ୍ୟକ୍ରମର ୬ଷ୍ଠ ଜାତୀୟ ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଭାଗିତାରେ ଏହି କାର୍ଯ୍ୟକ୍ରମ ରୂପାୟନ କରାଯିବ ବୋଲି ସୂଚିତ କରାଯାଇଛି।
ବୈଠକରେ ଓଡ଼ିଶା, ମହାରାଷ୍ଟ୍ର ଏବଂ ଜମ୍ମୁ ଓ କାଶ୍ମୀରର ଆଇଟିଆଇ କ୍ଲଷ୍ଟରଗୁଡ଼ିକ ପାଇଁ ୧,୧୯୪.୯୨ କୋଟି ମୂଲ୍ୟର ୫ଟି ରଣନୀତିକ ପୁଞ୍ଜି ନିବେଶ ଯୋଜନାକୁ ଅନୁମୋଦନ ମିଳିଛି । ପିଏମ୍-ସେତୁ ଅଧୀନରେ ଅନୁମୋଦିତ ମୋଟ ନିବେଶ ସୁଦ୍ଧା ୩,୬୮୭ କୋଟି ଟଙ୍କା ଥିବା ବେଳେ ଆଜିର ନିବେଶ ଯୋଜନା ସବୁକୁ ପଛରେ ପକାଇ ରେକର୍ଡ କରିଛି। ଏହି ନିବେଶ ଯୋଜନାଗୁଡ଼ିକ ପିଏମ୍-ସେତୁ ଢାଞ୍ଚା ଅଧୀନରେ ରାଜ୍ୟ ସରକାର, ଶିଳ୍ପ ସହଭାଗୀ ଏବଂ ଅଂଶଗ୍ରହଣକାରୀ ଆଇଟିଆଇଗୁଡ଼ିକ ମଧ୍ୟରେ ସହଭାଗିତା ମାଧ୍ୟମରେ କାର୍ଯ୍ୟକାରୀ ହେବ ।







