
ଭୁବନେଶ୍ଵର : ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ୍ ପୁଲିସ୍ କାର୍ୟ୍ୟରତ ଅଛନ୍ତି। ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଛନ୍ତି ଟ୍ରାଫିକ୍ ପୁଲିସ୍। ଏହାକୁ ଦୃଷ୍ଟି ରଖି ଚଳିତବର୍ଷ ଆଉ ଦୁଇ ହଜାର ନୂତନ ଟ୍ରାଫିକ୍ ପୁଲିସ ପଦ ସୃଷ୍ଟି ହେବ। ଏହି ପଦ ଗୁଡିକୁ ସମ୍ପୂର୍ଣ୍ଣ ସ୍ଵଚ୍ଛତାର ସହ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ୍ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେପଟେ ପ୍ରତି ଜିଲ୍ଲାରେ ସାଇବର ପୁଲିସ୍ ଥାନା କାର୍ୟ୍ୟକ୍ଷମ ହେବା ନେଇ ମଧ୍ୟ ନିର୍ଦେଶ ରହିଛି।




