
ଦେବଗଡ଼:ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସୋନାଲି ପାଣିଗ୍ରାହୀଙ୍କୁ ବିବାହ ପରେ ଯୌତୁକ ପାଇଁ ନିର୍ଯ୍ୟାନତା ଏବଂ ହତ୍ୟା ଉଦ୍ୟମ ହୋଇଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ଅଭିଯୁକ୍ତ ସ୍ବାମୀ ଭୂବନେଶ୍ୱରର ଜଗନ୍ନାଥ ନଗର ଜିଜିପି କଲୋନୀର ସବ୍ୟସାଚୀ ମିଶ୍ର(୩୪)ଙ୍କୁ ପୁଲିସ ଗିରଫ କରିଛି। ଗତକାଲି ପୁଲିସ ଅଭିଯୁକ୍ତ ସବ୍ୟସାଚୀକୁ କୋର୍ଟ ଚାଲାଣ କରିଛି।ସୂଚନା ଅନୁଯାୟୀ ଭୂବନେଶ୍ୱର ଜଗନ୍ନାଥ ନଗର ଜିଜିପି କଲୋନୀର ଚିନ୍ମୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ର ଗତ ୨୦୨୩ ଡିସେମ୍ବର ୮ ତାରିଖରେ ପୌରାଚଂଳର ଶାସନ ସାହିର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସୋନାଲିକୁ ବିବାହ କରିଥିଲେ।ବିବାହ ସମୟରେ ସୋନାଲୀଙ୍କ ପରିବାର ଲୋକେ ଘରକରଣା ସାମଗ୍ରୀ ସହିତ ୧୦୭ ଗ୍ରାମର ସୁନା ଅଳଙ୍କାର ପ୍ରଦାନ କରିଥିଲେ।ବିବାହ ପରେ ସବ୍ୟସାଚୀ ଓ ସୋନାଲୀ ଗୋଆ ବୁଲିବାକୁ ଯାଇଥିଲେ।ଗୋଆରୁ ଫେରିବା ପରେ ସୋନାଲିଙ୍କ ଶାଶୂ ଓ ଶ୍ୱଶୁର ବାପଘରୁ ଅଧିକ ସୁନା ଓ ଟଙ୍କା ଆଣିବାକୁ କହି ମାନସିକ ନିର୍ଯ୍ୟାତନା ଦେଇଥିଲେ।ସ୍ୱାମୀ ସବ୍ୟସାଚୀ ନିଶା ଖାଉଥିବା ଜାଣିବାକୁ ପାଇ ସୋନାଲି ତାଙ୍କ ଶ୍ୱଶୁରଙ୍କୁ ଏସଂପର୍କରେ ଜଣାଇଥିଲେ। ଏହା ଜାଣିବା ପରେ ସବ୍ୟସାଚୀ ସୋନାଲୀକୁ ଏକ କୋଠରୀ ଭିତରେ ପ୍ରବଳ ମାଡ ମାରିଥିଲେ। ପରେ ଅନୁଗୁଳରେ ଏକ ଘର କିଣିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା।ସୋନାଲିଙ୍କ ବଡଭାଇ ଉଭୟ ସୋନାଲି ଓ ସବ୍ୟସାଚୀଙ୍କୁ ଫୋନ ଯୋଗେ ଦେବଗଡ ଆସିବାକୁ କହିଥିଲେ।ସୋନାଲି ଓ ସବ୍ୟସାଚୀ ସୋନାଲିଙ୍କ ବାପ ଘରେ ଥିବା ସମୟରେ ସୋନାଲିଙ୍କ ବଡଭାଇ ଭଉଣୀ ସୋନାଲି ନାମରେ ଉକ୍ତ ଘରଟି କିଣିବାକୁ ସବ୍ୟସାଚୀଙ୍କୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଭାଇ ଖାଇବାକୁ ଯାଇଥିବା ସମୟରେ ସବ୍ୟସାଚୀ ତାଙ୍କ ମା ନାମରେ ଉକ୍ତ ଘର କିଣିବା ପାଇଁ ଜିଦ ଧରିଥିଲେ। ଏଥିରେ ସୋନାଲୀ ରାଜି ନ ହେବାରୁ ସବ୍ୟସାଚୀ ତାଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିଲା।ଏପରିକି ସୋନାଲିଙ୍କର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିବାରୁ ସୋନାଲି ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଉକ୍ତ ଘଟଣାରେ ଉଭୟ ପରିବାର ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା।ଫଳରେ ସୋନାଲି ଗତ ଏପ୍ରିଲ ୧୩ ତାରିଖରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଦେବଗଡ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।




