
ଲକ୍ଷ୍ମୀପୁର : ବଜ୍ରପାତ ଯୋଗୁଁ ଭିନ୍ନଭିନ୍ନ ଘଟଣାରେ ଲକ୍ଷ୍ମୀପୁର ଥାନା ଅଞ୍ଚଳର ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଫେରିବାଲା ଓ ଅନ୍ୟଜଣେ ବାଳକ ଥିବା ଜଣାଯାଇଛି। ଫେରିବାଲାଙ୍କ ନାମ ଜମୀର ରହେମାନ (୩୫)। ତାଙ୍କ ଘର ପଶ୍ଚିମବଙ୍ଗର ବୀରଭୂମ ଜିଲା ମହ୍ଲାରପୁର ଥାନା ଅଞ୍ଚଳରେ। ମୃତ ବାଳକ ହେଲେ ଡୁମୁରିପଦରର ବବୁଲୁ ହିକକା। ସେ ଆମ୍ବଗଛ ମୂଳେ ଠିଆ ହୋଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ ରାୟଗଡା ଜିଲା ଟିକିରି ଅଞ୍ଚଳରେ ରହି ଜମୀର ଓ ତାଙ୍କ ଭାଇ ଅବଦୁଲ ବୁଲିବୁଲି ବେପାର କରନ୍ତି। ରବିବାର ଦୁହେଁ ଲକ୍ଷ୍ମୀପୁର ଅଞ୍ଚଳରେ ବେପାର କରି ଫେରୁଥିବାବେଳେ ଏହି ଥାନା ଅନ୍ତର୍ଗତ କାଇପଦର ନିକଟରେ ବର୍ଷାପବନ ହୋଇଥିଲା। ଦୁହେଁ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଆଘାତପ୍ରାପ୍ତ ହୋଇ ଜମୀରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଲକ୍ଷ୍ମୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ତେବେ ମୃତକ ଜଣକ ଗରିବ ପରିବାରର ହୋଇଥିବାରୁ ତାଙ୍କ ସହିତ ଥିବା ତାଙ୍କ ଭାଇ ମୃତଦେହକୁ କିପରି ଏତେଦୂର ନେବେ ବର୍ତ୍ତମାନ ସେହି ଚିନ୍ତାରେ ଅଛନ୍ତି। ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସରକାର ଏନେଇ ବ୍ୟବସ୍ଥା କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଏହି ଥାନା ଅଧୀନସ୍ଥ ଡୁମୁରିପଦର ଠାରେ ବଜ୍ରପାତ ହେବାରୁ ବବୁଲୁଙ୍କ ମୃତ୍ୟୁ ହୋଇଥିଲା।




