ବାଙ୍କୀର ମା’ ଚର୍ଚ୍ଚିକା ପୀଠ

କେମିତି ଯିବେ ଚର୍ଚ୍ଚିକା ପୀଠ?
ଭୁବନେଶ୍ୱର ଠାରୁ ପ୍ରାୟ ୫୪ କିଲୋମିଟର ଦୂରରେ ବାଙ୍କୀ ଅବସ୍ଥିତ । ବାଙ୍କୀକୁ ସବୁଦିନିଆ ଭଲ ରାସ୍ତା ରହିଛି । ପ୍ରତିଦିନ ଭୁବନେଶ୍ୱର ଓ କଟକରୁ ସିଧାସଳଖ ବସ୍ ମଧ୍ୟ ଚଳାଚଳ କରୁଛି ।ଓଡ଼ିଶାର ଶକ୍ତିପୀଠ ମଧ୍ୟରେ ମା’ ଚର୍ଚ୍ଚିକାଙ୍କ ପୀଠ ବେଶ୍ ପ୍ରସିଦ୍ଧ । ପୀଠର ପଶ୍ଚିମ ପାର୍ଶ୍ୱରେ ପବିତ୍ର ମହାନଦୀ ପ୍ରବାହିତ ହେଉଛି । ରଚିକ ପର୍ବତର ଶୀର୍ଷ ଭାଗରେ ମା’ଙ୍କର ଏହି ପବିତ୍ର ପୀଠ ଅବସ୍ଥିତ ।
ମା’ଙ୍କ ମହିମା : ଆରାଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କର ଆବିର୍ଭାବ କିଭଳି ହୋଇଥିଲା ସେ ସମ୍ପର୍କରେ ସଠିକ ଭାବରେ କୌଣସି ତଥ୍ୟ ମିଳିନାହିଁ । ଏହାକୁ ନେଇ କେତେକ ଐତିହାସିକ, ପୌରାଣିକ, ଲୋକମତ ବି ରହିଛି । ବାଙ୍କୀର ଇତିହାସ ଓ ଚର୍ଚ୍ଚିକା ସମ୍ବନ୍ଧରେ ପୁରାଣରେ ବର୍ଣ୍ଣିତ ହୋଇଛି । କୁହାଯାଏ ଯେ, ସର୍ବଶକ୍ତିମୟୀ ମା’ ଚର୍ଚ୍ଚିକା ଦେବୀ ବୈଦିକ ଯୁଗରେ ଋଚିକ ମହର୍ଷିଙ୍କ ଆଶ୍ରମରେ ଗୃହଦେବୀଭାବେ ପୂଜା ପାଇଥିଲେ । ଋଚିକ ମହର୍ଷିଙ୍କର ନାତି ତଥା ଜମଦଗ୍ନିଙ୍କର ପୁତ୍ର ବୀର ପର୍ଶୁରାମ ମା’ ଚର୍ଚ୍ଚିକାଙ୍କ ପାଖରେ ତପସ୍ୟା କରି ଆଶୀର୍ବାଦ ଲାଭ କରିଥିଲେ । ଏହିଠାରେ ତପସ୍ୟା କରି ବୀର ପର୍ଶୁରାମ ମା’ ଚର୍ଚ୍ଚିକାଙ୍କ କୃପାରୁ ମାତୃ ହତ୍ୟା ପାପରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ପୁରାଣ ପୁରୁଷ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେଥିପାଇଁ ଏହି ପୀଠର ଅନ୍ୟନାମ ହେଉଛି ପର୍ଶୁରାମ ପୀଠ ।
ତ୍ରେତୟା ଯୁଗରେ ମହିଷାସୁରକୁ ବଧ କରିବା ପାଇଁ ମା’ ଦୁର୍ଗାଙ୍କର ଆବିର୍ଭାବ ହୋଇଥିଲା । ମହିଷାସୁରର ଦୁଇ ବୀର ଯୋଦ୍ଧା ରକ୍ତବୀର୍ଯ୍ୟ ଓ ଋଣାସୁରଙ୍କ ସହିତ ଯୁଦ୍ଧ କରିବା ଅବସରରେ ଯୋଗମାୟା ଦେବୀ ଦୁର୍ଗାଙ୍କର ନିଶ୍ୱାସରୁ ଏକ ଦିବ୍ୟ ଜ୍ୟୋତି ସୃଷ୍ଟି ହୋଇଥିଲା । ସେହି ଜ୍ୟୋତିରୁ ଆବିର୍ଭାବ ହୋଇଥିଲେ ଜଗତ ଜନନୀ ମା’ ଚର୍ଚ୍ଚିକା । ଶିବ ପୁରାଣ ଅନୁଯାୟୀ, ଦକ୍ଷ ଯଜ୍ଞ ସମୟରେ ସତୀଙ୍କ ଦଗ୍ଧ ଶରୀରକୁ ଧାରଣ କରି ମହାଦେବ ପାଗଳ ହୋଇ ଚତୁର୍ଦ୍ଦିଗ ଭ୍ରମଣ କରିଥିଲେ । ସ୍ୱୟଂ ବିଷ୍ଣୁ ଚକ୍ର ଦ୍ୱାରା ସତୀଙ୍କ ମୃତ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଇଥିଲେ । ସତୀଙ୍କର ଶରୀରର ଯେଉଁ ଅଂଶ ଯେଉଁଠାରେ ପଡ଼ିଲା, ତାହା ଏକ ଶକ୍ତିପୀଠରେ ପରିଣତ ହୋଇଥିଲା । ସେହି ପୀଠମାନଙ୍କ ମଧ୍ୟରେ ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠ ହେଉଛି ଅନ୍ୟତମ ।
ମା’ଙ୍କ ପୀଠରେ ଦର୍ଶନ ଓ ପୂଜାର୍ଚ୍ଚନା
ମା’ ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଦିନ ସକାଳ ୫ଟାରେ ଖୋଲା ହୋଇ ଦିନ ଦୁଇଟାରେ ପହଡ଼ ପଡ଼ିଥାଏ । ଏହାପରେ ପୁନର୍ବାର ଅପରାହ୍ଣ ୪ଟାରେ ଖୋଲା ହୋଇ ରାତି ୯ଟାରେ ପହଡ଼ ପଡ଼ିବାର ବିଧି ରହିଛି । ପ୍ରତିଦିନ ୪ ଥର ଦେବୀଙ୍କ ପାଖରେ ଭୋଗ ଲାଗି ହୋଇଥାଏ । ସକାଳ ୧୦ଟାରେ ଦେବୀଙ୍କ ପାଖରେ ଖେଚୁଡ଼ି, ଡାଲମା, ତରକାରୀ, ଶାଗ ଓ ଖଟା ଭୋଗ ଅର୍ପଣ ହୋଇଥାଏ । ଦ୍ୱିପହର ଭୋଗରେ ମା’ଙ୍କୁ ଲାଗିହୁଏ ଖେଚୁଡ଼ି, ଆମିଷ ତରକାରୀ, କାକରା ଓ ଖଜା । ସନ୍ଧ୍ୟା ଆଳତୀ ପରେ ପରେ ଦେବୀଙ୍କୁ କେବଳ ସାଧା ଅନ୍ନ ଅର୍ପଣ ହୋଇଥାଏ । ୪ର୍ଥ ଭୋଗଟି ରାତିରେ ଦହି ପଖାଳ, ତରକାରୀ ଓ ଖଜା ଭୋଗ ଲାଗି ହୋଇଥାଏ ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ