
ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । କାରଣ ଗୁରୁବାର ଶଙ୍ଖ ଭବନରେ ପହଞ୍ଚି ସୁଜାତା କାର୍ତ୍ତିାକେୟନ ପାଣ୍ଡିଆନ ବିଜୁ ଜନତା ଦଳରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ସେ ବିଜେଡିରେ ମିଶିଛନ୍ତି। ଏହି ଯୋଗଦାନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ ସୁଜାତା ବିଜେଡିରେ ମିଶିବା ନେଇ ଦୁଇ ଦୁଇ ଥର ପ୍ରସ୍ତୁତି କରାଯାଇଥିଲା। ମାତ୍ର ନେତାମାନେ ମେଳି କରି ବିରୋଧ କରିବାରୁ ବାଟ ଫିଟିନଥିଲା। ଏଥର କିନ୍ତୁ ରାସ୍ତା ସଫା । କିଛି ଦିନ ତଳେ ମନ୍ମଥ ରାଉତରାୟ, ଗଣେଶ୍ବର ବେହେରା, ଚିନ୍ମୟ ସାହୁ ଓ ମହେଶ୍ବର ସାହୁଙ୍କ ଭଳି ନେତା ସୁଜାତାଙ୍କ ସମର୍ଥନରେ ଖୋଲାଖୋଲି ବାହାରିଥିଲେ। ଅନ୍ୟପଟେ ବିଜେଡି ନେତା ସମ୍ବିତ ରାଉତରାୟ ତେରଚ୍ଛା ବାଣ ମାରି କହିଛନ୍ତି, ସୁଜାତା ନବୀନଙ୍କ ଉତ୍ତରାଧିକାରୀ ନୁହଁନ୍ତି। ଗୃହ ପ୍ରବେଶ କରନ୍ତୁ, ପରେ ଆମେ ବାସ୍ତୁ ଦୋଷ ଦେଖିବୁ ବୋଲି କହିଛନ୍ତି।
୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ସଂଗଠିତ ହୋଇପାରୁନି। ଦଳରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଆଗ ଭଳି ନାହିଁ। ୩ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିକୁ ପଳାଇଥିବା ବେଳେ ୮ ବିଧାୟକ ରାଜ୍ୟସଭା ଭୋଟରେ କ୍ରସ ଭୋଟିଂ କଲେ । ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଏଭଳି ସଙ୍କଟମୟ ସ୍ଥିତିରେ ବିଜେଡିକୁ ସୁଜାତାଙ୍କ ଆଗମନ ହେଉଛି । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ସୁଜାତାଙ୍କ ମିଶ୍ରଣ ଦଳକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।
୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ସୁଜାତା କେନ୍ଦ୍ରାପଡ଼ାର ଝିଅ ହୋଇଥିବାବେଳେ ସେ ବହୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପ୍ରାୟ ୨୫ ବର୍ଷ କ୍ୟାରିଅରରେ ସେ ଶିକ୍ଷା, ପୋଷଣ, ମାତୃ କଲ୍ୟାଣ ଏବଂ ମହିଳା ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମାଓ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କର ପ୍ରାରମ୍ଭିକ ପୋଷ୍ଟିଂ ସମୟରେ ସେ ସ୍କୁଲ ଝିଅମାନଙ୍କ ପାଇଁ ସାଇକେଲ ବଣ୍ଟନ ଯୋଜନା କରିଥିଲେ ଏବଂ ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମରେ ଅଣ୍ଡା ଯୋଡିଥିଲେ, ଯାହା ପରେ ସମଗ୍ର ଓଡ଼ିଶାରେ ଗ୍ରହଣ କରାଯାଇଥିଲା। କଟକର ପ୍ରଥମ ମହିଳା କଲେକ୍ଟର ଏବଂ ପରବର୍ତ୍ତୀ ସମୟରେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଭାବରେ ସେ ମମତା ମାତୃତ୍ୱ ଲାଭ ଯୋଜନାର ଶୁଭାରମ୍ଭ କରିଥିଲେ।


