
ଭୁବନେଶ୍ବର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଯୋଗ ଦେଇଛନ୍ତି। ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ବାଳ, ଦେବୀ ରଂଜନ ତ୍ରିପାଠୀ ଓ ଅରବିନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି। ଏଣେ ବିଧାୟକ ନବ ମଲ୍ଲିକ ବି ସାମିଲ ହୋଇଛନ୍ତି। ଠିକ୍ ସେହିପରି କଂଗ୍ରେସରୁ ନିଲମ୍ବିତ କଟକ-ବାରବାଟୀ ବିଧାୟକ ସୋଫିଆ ଫିରଦୌସ୍ ବି ଏଥିରେ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ଉପ ବାଚସ୍ପତି ଭବାନୀଶଙ୍କର ଭୋଇ ବି ଉପସ୍ଥିତ ଅଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।
ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବିଜେଡି ବିଧାୟକ। ଏନେଇ ଦଳ ପକ୍ଷରୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ଦଳର ବିଧାୟକମାନେ ଏହାକୁ ବର୍ଜନ କରିବେ ବୋଲି ଆଗରୁ ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିସାରିଛନ୍ତି। ବିଜେଡି ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବ ବୋଲି ନିଷ୍ପତ୍ତି ନେଇଛି। ତେଣୁ ତାଲିମ କାର୍ଯ୍ୟକ୍ରମରେ କେବଳ ବିଜେପି ବିଧାୟକମାନେ ସାମିଲ ହେବେ। ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ଅନୁମତି ମିଳିନାହିଁ।






