
ସୁନ୍ଦରଗଡ:ସୁନ୍ଦରଗଡ଼ରେ ବେଆଇନ୍ କୋଇଲା ଖଣି ଉପରେ ଚାଲିଛି ଘନ ଘନ ଚଢ଼ାଉ । ଏବେ ସୁଦ୍ଧା ୨ଶହ ୫୦ ଟନ୍ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି ବିଭାଗର ଡେପୁଟି ଡାଇରେକ୍ଟର ତଦନ୍ତ କରିବା ସହ ଜଙ୍ଗଲରେ ଗଚ୍ଛିତ ଚୋରି କୋଇଲାକୁ ଜବତ କରିଛନ୍ତି । ମଙ୍ଗଳବାର ହେମଗିରି ଅଞ୍ଚଳରେ ବେଆଇନ କୋଇଲା ଖଣି ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ମିଳିତ ଟିମ୍ । ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ନେତୃତ୍ବରେ ପୋଲିସ ଓ ବନବିଭାଗର ଏକ ମିଳିତ ଟିମ୍ ହେମିଗିରି ଥାନା ରତନସରା,ଭୋଗରାକଛାର ଓ ଲତାପାଣି ଅଞ୍ଚଳରେ ଚଢାଉ କରି ୧୦ରୁ ଅଧିକ ବେଆଇନ ଖଣି ସିଜ୍ କରିବା ସହ କୋଇଲା ଜବତ କରିଥିଲା ।
ଗତ ୪ ତାରିଖରେ ତେଲେଣ୍ଡିହି ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ସହ ୧୪୪ ଟନ୍ କୋଇଲା ଜବତ ହୋଇଥିଲା । ବୁଧବାର ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲରେ ବେଆଇନ୍ କୋଇଲା ଖଣି ଉପରେ ହୋଇଛି ଚଢ଼ାଉ । ଅନେକ ଦିନ ଧରି ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ୍ କୋଇଲା ଖଣି । ବର୍ଷ ବର୍ଷ ଧରି ବେଧଡ଼କ କୋଇଲା ଲୁଟୁଥିଲେ ମାଫିଆ । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜଙ୍ଗଲ ଭିତରେ ଖୋଜି ଖୋଜି ଖଣି ଭିତରେ ପଶିଥିଲେ ପୋଲିସ । । ଜଙ୍ଗଲ ଭିତରେ ବେଆଇନ୍ ଇଟାଭାଟି କରି ସେଥିରେ ଏହି କୋଇଲା ବ୍ୟବହାର କରୁଥିଲେ ମାଫିଆ । କିଛି ଲୋକଙ୍କୁ ଏହି ବେଆଇନ ଇଟାଭାଟିରେ ନିୟୋଜିତ କରୁଥିଲେ । ଏମାନଙ୍କ ସର୍ଦ୍ଦାର କିଏ ? କାହାର ଏହି ଇଟାଭାଟି ? କିଏ ଜଙ୍ଗଲ ଭିତରେ ବେଆଇନ୍ ଇଟାଭାଟି କରିଥିଲେ ? କିଏ ଖୋଳୁଥିଲେ ଟନ୍ ଟନ୍ କୋଇଲା ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଏବେ ପ୍ରମାଣ ଖୋଜୁଛି ତଦନ୍ତକାରୀ ଟିମ୍




