
ତିରୁୱନନ୍ତପୁରମ: କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସେଠାରେ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅଡୁଆ ଛିଣ୍ଡୁନାହିଁ । କୁହାଯାଉଛି କି ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଳ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ପଦ ଦୌଡରେ ତାଙ୍କ ନାଁ ସବୁଠାରୁ ଆଗରେ ରହିଛି । ସେ ମୁଖ୍ୟମନ୍ତ୍ରୀ ହେବେ ଓ ସୋମବାର ଶପଥ ନେବାର ସମ୍ଭାବନା ରହିଛି ।
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମୁକୁଲ ୱାସନିକ କଂଗ୍ରେସ ବିଧାୟକ ଓ ସହଯୋଗୀ ଦଳଙ୍କ ସହ ପରାମର୍ଶ କରିବା ପରେ ତାଙ୍କ ରିପୋର୍ଟ ଦଳର ହାଇକମାଣ୍ଡ ମଲିକାର୍ଜୁନ ଖଡ୍ଗେଙ୍କୁ ପ୍ରଦାନ କରିବେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଉଭୟେ ମାକେନ ଓ ୱାସନିକ କହିଛନ୍ତି ଦଳୀୟ ବିଧାୟକ, ସହଯୋଗୀ ଦଳ ଓ ଜନତାଙ୍କ ମତାମତ ନିଆଯାଇ ମୁଖ୍ୟମନ୍ତ୍ରୀ ସ୍ଥିର କରାଯିବ । ମୁଖ୍ୟମନ୍ତ୍ରୀ ପଦ ଦୌଡରେ ବେଣୁଗୋପାଳଙ୍କ ବ୍ୟତୀତ ବିଦାୟୀ ଗୃହରେ ବିରୋଧୀ ଦଳ ନେତା ଭି.ଡି ସତିସାନ ଓ ବରିଷ୍ଠ ନେତା ରମେଶ ଚେନ୍ନିଥଳାଙ୍କ ନାମ ରହିଛି । ତେବେ ୬୩ ବର୍ଷୀୟ ବେଣୁଗୋପାଳ ଏବେ ଦଳର ସାଧାରଣ ସମ୍ପାଦକ ଥିବା ବେଳେ ଆଳପୁଝା ଲୋକସଭା ଆସନରୁ ମଧ୍ୟ ସାଂସଦ ଅଛନ୍ତି ।
ସେ ଯଦି କେରଳ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସାଂସଦ ପଦରୁ ଇସ୍ତଫା ଦେବାକୁ ହେବ । ଦଳୀୟ ନେତା ଓ କର୍ମୀମାନେ ଚଳିତ ନିର୍ବାଚନରେ ୟୁଡିଏଫର ବିଜୟର ଶ୍ରେୟ ବେଣୁଗୋପାଳଙ୍କୁ ହିଁ ଦେଇଛନ୍ତି । କୁହାଯାଉଛି କି ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ମଧ୍ୟ ସାମିଲ ହେବାର ସମ୍ଭାବନା ଅଛି । କାରଣ ତାମିଲନାଡୁରେ ବିଜୟଙ୍କ ନେତୃତ୍ୱରେ ଗଠନ ହେବାକୁ ଯାଉଥିବା ଟିଭିକେ ସରକାରକୁ କଂଗ୍ରେସ ସମର୍ଥନ ଦେଇଛି ।
ସୂଚନାଯୋଗ୍ୟ ଯେ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନରେ ୟୁଡିଏଫ୍ ୧୦୦ ଆସନ ହାସଲ କରିଛି । ସେଥିରେ କଂଗ୍ରେସର ୬୩, ଆଇୟୁଏମ୍ଏଲ୍ ୨୨, କେରଳ କଂଗ୍ରେସ ୭, ଆରଏସ୍ପି ୩ ଏବଂ ଅନ୍ୟାନ୍ୟ ଦଳ ୫ଟି ଆସନ ପାଇଛନ୍ତି । ଅନ୍ୟପକ୍ଷରେ ବାମମେଣ୍ଟ ଏଲଡିଏଫ୍କୁ ୩୫ ଆସନ ମିଳିଥିଲା ବେଳେ ବିଜେପିକୁ ୩ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନ ହାସଲ କରିଛନ୍ତି ।


