
ଝାରସୁଗୁଡା: ବ୍ରଜରାଜନଗର ଅଞ୍ଚଳରେ ପୋଲିସର ଏନକାଉଣ୍ଟର । ପୋଲିସର ଗୁଳିରେ କୁଖ୍ୟାତ ଅପରାଧୀ କମଲେଶ ଘୋଷଙ୍କ ପୁଅ ଅଙ୍କିତ ଘୋଷ ଆହତ । ଗତକାଲି(ରବିବାର) ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓପିଏମ୍ ଘାଟ ନିକଟରେ ଏହି ଏନକାଉଣ୍ଟର ଘଟିଛି । ଅଙ୍କିତ ନାଁରେ 7ଟି ସଙ୍ଗୀନ ମାମଲା ରହିଛି ।
ପୋଲିସ ସୂଚନା ଅନୁଯାୟୀ, ଓପିଏମ୍ ଘାଟ ନିକଟରେ କିଛି ଦୁର୍ବୃତ୍ତ ଅପରାଧିକ ଷଡ଼ଯନ୍ତ୍ର କରୁଥିବା ନେଇ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିଚାଳନା କରିବାକୁ ଉଦ୍ୟମ କରିଥିବାରୁ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଅଙ୍କିତଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଆହତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ, ଅପରାଧ ନିୟନ୍ତ୍ରଣ ଏବଂ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ପ୍ରାରମ୍ଭିକ ତଦନ୍ତରେ ଅଭିଯୁକ୍ତମାନେ ପୋଲିସ ଦଳ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି । ଅଙ୍କିତଙ୍କ ବିରୋଧରେ ୭ଟି ସଙ୍ଗୀନ ମାମଲା ରହିଛି । ପୋଲିସ ରେକର୍ଡ ଅନୁଯାୟୀ, ଅଙ୍କିତ ଘୋଷଙ୍କ ନାମରେ ହତ୍ୟା ଉଦ୍ୟମ, ଡକାୟତି, ଆକ୍ରମଣ ଓ ଧମକ ଭଳି ସାତଟି ସଙ୍ଗୀନ ମାମଲା ରହିଛି ।




