
ନୂଆଦିଲ୍ଲୀ: ଆଜି ଏସଆଇଆର ସମ୍ପର୍କିତ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳର ନେତାଙ୍କ ଦ୍ୱାରା SIR ରେ ଅନିୟମିତତା ଅଭିଯୋଗ ନେଇ ଦାୟର ହୋଇଥିବା ଏହି ଆବେଦନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ ଅନୁଯାୟୀ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ ।
ସୋମବାର ଦିନ ଏହି ଆବେଦନ ଦାଖଲ କରିବା ପାଇଁ ସର୍ବୋଚ୍ଚ ଅଦାଲତ ଆଡକୁ ଶୋଭାଯାତ୍ରା କରି ଆସିଥିଲେ ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ମେଣ୍ଟ । ରାହୁଲ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଦାଏର ଆବେଦନ ବ୍ୟତୀତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ ପ୍ରତିବାଦ, ମେଟ୍ରୋ ଷ୍ଟେସନ ବନ୍ଦ ଏବଂ ଟ୍ରେନ ସେବା ବାଧାପ୍ରାପ୍ତ ହେବା ସମ୍ବନ୍ଧୀୟ ପୃଥକ ଆବେଦନଗୁଡ଼ିକର ମଧ୍ୟ ଏହି ଖଣ୍ଡପୀଠ ଶୁଣାଣି କରିବେ। ଭୋଟର ତାଲିକାର SIR ରେ ଅଭିଯୋଗ ହୋଇଥିବା ଅନିୟମିତତାକୁ ନେଇ ସିଇସିଙ୍କ ଇସ୍ତଫା ଦାବି କରି ନୂଆଦିଲ୍ଲୀରେ ଅନେକ ପ୍ରତିବାଦ ପ୍ରଦର୍ଶନ ହୋଇଛି।
ଏହି ଆବେଦନରେ ରାହୁଲଙ୍କ ବ୍ୟତୀତ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖାଡଗେ, ଟିଏମସି ସାଂସଦ ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦ ପାୱାର) ନେତ୍ରୀ ସୁପ୍ରିୟା ସୁଲେ, ଶିବସେନା-ୟୁବିଟି ନେତା ସଞ୍ଜୟ ରାଉତ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ଡି. ରାଜା ଏବଂ ଅନ୍ୟ କେତେକ ନେତା ସହ-ଆବେଦନକାରୀ ଅଛନ୍ତି। କୌଣସି ଭୋଟରଙ୍କୁ ଆଇନ ଅନୁଯାୟୀ ନୋଟିସ ଏବଂ ଶୁଣାଣିର ଯୁକ୍ତିଯୁକ୍ତ ସୁଯୋଗ ନଦେଇ ଭୋଟର ତାଲିକାରୁ ବାଦ ଦେବା ଏବଂ ପଞ୍ଜାବ ତଥା ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟ ଗୁଡ଼ିକରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଆଇନ ଅନୁମୋଦିତ ଶେଷ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ସାମିଲ ପାଇଁ ଅନୁମତି ଦେବା ସୁନିଶ୍ଚିତ କରିବାକୁ ଏହି ଆବେଦନରେ ନିବେଦନ କରାଯାଇଛି।ଏହି ପିଟିସନରେ ଭାରତୀୟ ନିର୍ବାଚନ କମିଶନ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।
ଏହି ପିଟିସନରେ ନିର୍ବାଚନ ପ୍ୟାନେଲକୁ ଭୋଟର ତାଲିକାର SIR ସମ୍ବନ୍ଧୀୟ ପ୍ରତ୍ୟେକ ବିବାଦୀୟ ନିଷ୍ପତ୍ତି ସମ୍ପର୍କରେ ନିର୍ବାଚନ କମିଶନରଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ସମ୍ପୂର୍ଣ୍ଣ ଫାଇଲ, ଏଜେଣ୍ଡା, ମିନିଟ୍ସ, ନୋଟିଂ ଏବଂ ଆପତ୍ତିଗୁଡ଼ିକୁ ସମ୍ପୃକ୍ତ ଇଲେକ୍ସନ କମିଶନ ଇନଫରମେସନ ନେଟୱର୍କ ଏବଂ ଇଲେକ୍ଟୋରାଲ ରୋଲ ଅଫିସର୍ସ ନେଟୱର୍କ ଆକ୍ସେସ ଲଗ୍ ସହିତ ରେକର୍ଡରେ ରଖିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଦେଶବ୍ୟାପୀ SIR ପ୍ରକ୍ରିୟା ଆରମ୍ଭ କରିବା ପାଇଁ 24 ଜୁନ 2025ରେ ନିଆଯାଇଥିବା ନିଷ୍ପତ୍ତିର ସମ୍ପୂର୍ଣ୍ଣ ଫାଇଲ ମଧ୍ୟ ଦାଖଲ କରିବାକୁ କୁହାଯାଇଛି।







