
ବହି ବିଭ୍ରାଟ ମାମଲାରେ ହେବ କି ବଡ଼ ଆକ୍ସନ୍ ? ବହୁ ଚର୍ଚ୍ଚିତ ବହି ବିଭ୍ରାଟ ମାମଲାରେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ମନୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ SCERT ନିର୍ଦ୍ଦେଶକ ଥିବା ବେଳେ ବହି ଛପା ଯାଇଥିଲା। ତେଣୁ ତ୍ରୁଟି କେମିତି ହେଲା? ତ୍ରୁଟି ପଛରେ କିଏ ? ଏତେ ତ୍ରୁଟି ହେଲା ସେ କେମିତି ଜାଣି ପାରିଲେନି? ସେ ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି।
ପୂର୍ବରୁ ନିଲମ୍ବିତ ହୋଇଥିବା ମନୋଜ ପାଢ଼ୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଅନୁମାନ କରାଯାଉଛି କି ଏହି ମାମଲାରେ କିଛି ବଡ଼ ପଦକ୍ଷେପ ନେଇପାରେ କ୍ରାଇମବ୍ରାଞ୍ଚ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଦୁଇ ହଜାରରୁ ଅଧିକ ଭାଷା, ତଥ୍ୟଗତ ତ୍ରୁଟି ରହିଛି। ଏହାକୁ ନେଇ ଷଡ଼ଯନ୍ତ୍ର ହୋଇଥିବା ବାରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପରେ ପୁରା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ସେ ଦେଇଥିଲେ।
SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ ସହ ମୁଦ୍ରଣ, ପ୍ରକାଶନ ଓ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ତଦନ୍ତ ହେବ। ଏଥିସହ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ, ସାକ୍ଷ୍ୟ ସଂଗ୍ରହ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ।




