ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଆଜି ବେଶ୍ ଧୁମଧାମରେ ପାଳିତ ହେଉଛି ଦେବଠାନ ପର୍ବ। ମାତ୍ର ଏହା ପୂର୍ବରୁ କାସଗଞ୍ଜରେ ଘଟିଛି ଅଘଟଣ । ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏବେ ବି ବହୁ ମହିଳା ଓ ଶିଶୁ ମାଟି ତଳେ ଫସି ରହିଥିବା ଅନୁମାନ କରାଯାଉଛି।
ଘର ଓ ଚୁଲି ଲିପିବା ନିମନ୍ତେ କାତୌର, ରାମପୁର ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ ମାଟି ଆଣିବାକୁ ମୋହନପୁରା ଗାଁକୁ ଯାଇଥିଲେ। ମାତ୍ର ମାଟି ଖୋଳୁ ଖୋଳୁ ହଠାତ୍ ମାଟି ଅତଡ଼ା ମହିଳାମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ସେମାନେ ତା’ ତଳେ ଚାପି ହୋଇ ରହିଥିବା ବେଳେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ।
ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଜେସିବି ଦ୍ୱାରା ମାଟି ଖୋଳି ଲୋକଙ୍କୁ ଉଦ୍ଧାର କରାଯିବା ନିମନ୍ତେ ଚେଷ୍ଟା ଚାଲିଛି।




