
ସମ୍ବଲପୁର: ଜୁଜୁମୁରା ଥାନା ଅନ୍ତର୍ଗତ ଅନ୍ଧାରୀ ଗ୍ରାମ ମୁଣ୍ଡାପଡ଼ାରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଣ୍ଡାପଡ଼ାର ଆକାଶ ମୁଣ୍ଡା (21) ନାମକ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ନିକଟସ୍ଥ ଲାଙ୍ଗବାହାଲ ଅଞ୍ଚଳର ଅଭିଯୁକ୍ତ ସୁବୋଧ ମୁଣ୍ଡାଙ୍କୁ ଜୁଜୁମୁରା ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।
ମୃତ ଆକାଶଙ୍କ ବାପା ମଣିରାମ ମୁଣ୍ଡାଙ୍କ ଅଭିଯୋଗ ଆଧାରରେ ଜୁଜୁମୁରା ଥାନାରେ କେସ୍ ନମ୍ବର 171/26 ରେ ଧାରା 109(1) ବିଏନ୍ଏସ୍ରେ ମାମଲା ରୁଜୁ ହୋଇଛି। ଆକାଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଜଣାପଡିବ । ଏନେଇ ତଦନ୍ତ ଚାଲିଥିବା ଜୁଜୁମରା ଥାନା ଅଧିକାରୀ ଅନିମା ଏକ୍କା ସୂଚନା ଦେଇଛନ୍ତି । ଘଟଣାକୁ ନେଇ ଅନ୍ଧାରୀ ଓ ଲାଙ୍ଗବାହାଲ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।
ଜୁଜୁମରା ଥାନା ଅଧିକାରୀ ଅନିମା ଏକ୍କାଙ୍କ ସୂଚନା ଅନୁସାରେ ବୁଧବାର ଅପରାହ୍ଣ ପ୍ରାୟ ୪ଟାରେ ଜୁଜୁମୁରା ଥାନାର ଲାଙ୍ଗବାହାଲ ଅଞ୍ଚଳର କିଛି ଯୁବକ ଅନ୍ଧାରୀ ଗାଁ ମୁଣ୍ଡାପଡ଼ାକୁ ଆସି ଆକାଶ ମୁଣ୍ଡାଙ୍କ ସହ ଝଗଡ଼ା କରିଥିଲେ। ଏହି ସମୟରେ ସୁବୋଧ ମୁଣ୍ଡା ଆକାଶଙ୍କ ଛାତିରେ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକାଶ ମୁଣ୍ଡା ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହା ପରେ ସ୍ଥାନୀୟ ଲୋକେ ଆକାଶଙ୍କୁ ଉଦ୍ଧାର କରି ତୁରନ୍ତ ଜୁଜୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ।







