
ଦେବଗଡ଼:ବିବାହର ପ୍ରତିଶ୍ମୃତି ଦେଇ ପ୍ରେମିକାଙ୍କ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ପୁଲିସ ଅଭିଯୁକ୍ତ ଦେବଗଡ ଥାନାର କଣ୍ଢଳ ଗ୍ରାମର ରାକେଶ ବେହେରା (୨୩)କୁ ଗିରଫ କରିଛି। ଗତକାଲି ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇଦିଆଯାଇଛି।ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ହେଲା ରାକେଶ ଏବଂ ପୀଡିତା ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା।ଏହାର କିଛି ଦିନ ପରେ ବିବାହର ପ୍ରତିଶ୍ମୃତି ଦେଇ ଯୁବତୀଙ୍କ ସହିତ ବିଭିନ୍ନ ସମୟରେ ରାକେଶ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା।ଏହାପରେ ଯୁବତୀ ଜଣକ ତାଙ୍କ ଘରେ କିଛି ନ ଜଣାଇ ରାକେଶ ସହିତ ପୁରୀ ଯାଇଥିଲେ।ସେଠାରେ କିଛି ଦିନ ରହିବା ପରେ ରାକେଶ ସୋନପୁରରେ କାମ କରୁଥିବାରୁ ଦୁଇ ଜଣ ଘର ଭଡା ନେଇ ସେଠାରେ ରହିଥିଲେ। କିଛି ମାସ ଏକାଠି ରହିବା ପରେ ଯୁବତୀଙ୍କୁ କିଛି ନକହି ରାକେଶ ନିଜ ଘରକୁ ପଳାଇ ଆସିଥିଲା। ରାକେଶ ୨ ଦିନ ପର୍ଯ୍ୟନ୍ତ ସୋନପୁର ନଫେରିବାରୁ ଯୁବତୀ ଜଣକ ରାକେଶଙ୍କ ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। କିନ୍ତୁ ରାକେଶଙ୍କ ପରିବାର ଲୋକେ ପୀଡିତା ଯୁବତୀକୁ ଗାଳିଗୁଲଜ କରିବା ସହ ଘରୁ ବାହାର କରି ଦେଇଥିଲେ।ଫଳରେ ଯୁବତୀ ଜଣକ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।




