
ସ୍ୱତନ୍ତ୍ର ଗ୍ରାମସଭାରେ ସ୍ୱଚ୍ଛତା, ଜନସହଭାଗିତା ଓ ଗ୍ରାମର ସାମଗ୍ରିକ ବିକାଶ ନେଇ ଆଲୋଚନା
ରାଇକିଆ: କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ପ୍ରଥମେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ ଓ ଦେଶ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା। ସତ୍ୟ, ଅହିଂସା, ସରଳତା, ଶୃଙ୍ଖଳା ଓ ଦେଶସେବାର ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରିବା ପାଇଁ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନେ ଆହ୍ବାନ ଦେଇଥିଲେ।ସ୍ୱତନ୍ତ୍ର ଗ୍ରାମସଭାରେ ଗ୍ରାମର ସ୍ୱଚ୍ଛତା ବ୍ୟବସ୍ଥା, ପରିବେଶ ସୁରକ୍ଷା, ଜନସହଭାଗିତା ଓ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଗ୍ରାମକୁ ସ୍ୱଚ୍ଛ ରଖିବାରେ କେବଳ ପ୍ରଶାସନ କିମ୍ବା ସଫେଇ କର୍ମଚାରୀଙ୍କ ଭୂମିକା ନୁହେଁ, ପ୍ରତ୍ୟେକ ପରିବାର ଓ ଗ୍ରାମବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ବିଶେଷକରି ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଗ୍ରାମର ବିଭିନ୍ନ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଅଳିଆଆବର୍ଜନା ଏଣେତେଣେ ନ ପକାଇବା ଓ ସାଧାରଣ ସ୍ଥାନଗୁଡ଼ିକୁ ପରିଷ୍କାର ରଖିବା ନେଇ ସଚେତନତା ସୃଷ୍ଟି ଉପରେ ଆଲୋଚନା କରାଯାଇଥିଲା। ସ୍ୱଚ୍ଛତା ସାଥୀମାନଙ୍କ କାର୍ଯ୍ୟକୁ ସହଯୋଗ କରିବା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ସମସ୍ତେ ଭାଗୀଦାର ହେବାକୁ କୁହାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ,ରାଇକିଆ ନାୟବ ସରପଞ୍ଚ ନିଥାଇଲ ନାୟକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମହେଶ ପଟ୍ଟନାୟ ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବଶମ୍ଭୁ ଗୌଡ଼,ବନପାଳ, ରାଜସ୍ୱ ନିରୀକ୍ଷକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟର ୩୦ ଜଣ ଛାତ୍ରୀ ଯୋଗଦେଇଥିଲେ। ଏଥିସହ ସ୍ୱାତୀ, ସାହାରା ଓ ମେରୀ ବଚପନ୍ର ପ୍ରତିନିଧି, ପଞ୍ଚାୟତିରାଜ ପ୍ରତିନିଧି, ଅଙ୍ଗନବାଡ଼ି କର୍ମ ଓ ସିଆର୍ପି ଉପସ୍ଥିତ ଥିଲେ।
ଗ୍ରାମର ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ୧୬ ଜଣ ସ୍ୱଚ୍ଛତା ସାଥୀ ତଥା ସଫେଇ କର୍ମଚାରୀ ମଧ୍ୟ ସ୍ୱତନ୍ତ୍ର ଗ୍ରାମସଭାରେ ଯୋଗଦେଇଥିଲେ। ସେମାନଙ୍କ ଦ୍ୱାରା ଗ୍ରାମର ପରିମଳ ବ୍ୟବସ୍ଥାକୁ ନିୟମିତ ଭାବେ ସୁଚାରୁ ରଖିବା ଓ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ୧୬ ଜଣ ସ୍ୱଚ୍ଛତା ସାଥୀ ତଥା ସଫେଇ କର୍ମୀଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଗ୍ରାମର ପରିମଳ ବ୍ୟବସ୍ଥାକୁ ସୁଚାରୁ ରଖିବାରେ ସ୍ୱଚ୍ଛତା କର୍ମୀମାନଙ୍କ ଭୂମିକାକୁ ଉପସ୍ଥିତ ବ୍ୟକ୍ତିମାନେ ପ୍ରଶଂସା କରିଥିଲେ।ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଓ ସ୍ୱାବଲମ୍ବନର ବାର୍ତ୍ତା ସହ ଶାସ୍ତ୍ରୀଜୀଙ୍କ ସରଳ ଜୀବନ ଓ ଦେଶସେବାର ଆଦର୍ଶକୁ ଆଧାର କରି ଗ୍ରାମର ବିକାଶ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଜନସହଭାଗିତା ରହିବା ଆବଶ୍ୟକ ବୋଲି ଗ୍ରାମସଭାରେ ମତ ପ୍ରକାଶ ପାଇଥିଲା।ଏହି ଅବସରରେ ମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯାଇଥିଲା। ପରେ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ନିଜ ନିଜ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସେଗୁଡ଼ିକର ଉଦ୍ଦେଶ୍ୟ ଓ ଲୋକଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।ଗ୍ରାମ ପଞ୍ଚାୟତ ପକ୍ଷରୁ ରାଇକିଆକୁ ଶିଶୁ ବିବାହମୁକ୍ତ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା। ଶିଶୁ ବିବାହ ଭଳି ସାମାଜିକ ପ୍ରଥାକୁ ରୋକିବା ସହ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ଅଧିକାର ପ୍ରତି ସମସ୍ତେ ସଚେତନ ରହିବା ନେଇ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ସ୍ୱଚ୍ଛ ଓ ସବୁଜ ଗ୍ରାମ ଗଠନ ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ। ପିପଲ୍ସ ପ୍ଲାନ୍ କ୍ୟାମ୍ପେନ୍ ଅଧୀନରେ ଆସନ୍ତା ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହାର ଅଂଶସ୍ୱରୂପ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ସରପଞ୍ଚ ଗୀତାଞ୍ଜଳି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗ୍ରାମସଭାରେ ଗ୍ରାମର ସ୍ୱଚ୍ଛତା ଓ ବିକାଶ ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା







