
ସ୍ବାସ୍ଥ୍ୟକେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ ଓ ପିଇବା ପାଣିର ବ୍ୟବସ୍ଥା
ଦେବଗଡ଼:ରିଆମାଳ ବ୍ଲକର ରେଙ୍ଗାଲବେଡା ଗ୍ରାମରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ପିଏଚସିର ମାନ୍ୟତା ପ୍ରଦାନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପିଏଚସିର ମାନ୍ୟତା ପ୍ରଦାନ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ,ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପିଏଚସିର ମାନ୍ୟତା ପ୍ରଦାନ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରୁଥିବାବେଳେ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନଥିବା ବେଳେ ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ତେବେ ଏହାର ସୁବିଧା କରିବା ପାଇଁ ଦାବି କରିଛନ୍ତି।ସୂଚନା ଅନୁଯାୟୀ,ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ୧୯୭୮ରେ ରିଆମାଳ ବ୍ଲକ ରେଙ୍ଗାଳବେଡା ଠାରେ ସ୍ଥାପନ କରାଯାଇଥିଲା ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର।ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତିତ କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଗତ ୨୦୧୨ରେ ଏହାକୁ ଜଳସମ୍ପଦ ବିଭାଗରୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଥିଲେ।ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୨୦୧୩ ରେ ସମସ୍ତ ପ୍ରକ୍ରିୟା ମଧ୍ୟ ସରିଛି।ତେବେ ସ୍ବାସ୍ଥ୍ୟ କେନ୍ଦ୍ରର କୋଠା ଅବସ୍ଥା ଭଲ ନଥିବା ହେତୁ ଅନ୍ୟ ଏକ କ୍ବାଟର୍ସରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର।ଅନ୍ୟପଟେ ସ୍ବାସ୍ଥ୍ୟ କେନ୍ଦ୍ରର ମରାମତି କାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୃକ୍ତ ଠିକାଦାର ହସ୍ତାନ୍ତର କରିନଥିବା ଜଣାପଡିଛି।ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପିଏଚସିର ମାନ୍ୟତା ପ୍ରଦାନ କରାଗଲେ ୬ଟି ପଂଚାୟତବାସୀ ସହଜରେ ସ୍ବାସ୍ଥ୍ୟସେବା ପାଇ ପାରିବେ ବୋଲି ଅଂଚଳବାସୀ ଦାବି କରିଛନ୍ତି।ଏନେଇ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପିଏଚସିର ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ପିଏଚସିର ମାନ୍ୟତା ପ୍ରଦାନ କରାଯାଇନଥିବାବେଳେ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ରିଆମାଳ ପଂଚାୟତ ସମିତି ଉପାଧ୍ୟକ୍ଷା ଶର୍ମିଷ୍ଠା ଘଡେଇ ଓ ଗୁଣ୍ଡିଆପାଲି ସରପଂଚ ପ୍ରକାଶ ଆଚାର୍ଯ୍ୟ ରେଙ୍ଗାଲବେଡା ସ୍ବାସ୍ଥ୍ୟକେନ୍ଦ୍ରକୁ ପିଏଚସିର ମାନ୍ୟତା ପାଇଁ ଦାବି କରିଛନ୍ତି।


