
ଭୁବନେଶ୍ବର: ଦକ୍ଷିଣ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି (ଶନିବାର) ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଗାମୀ 4-5 ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ବୋଲି ପାଣିପାଗ ବିଭାଗ ପକ୍ଷରପ ସୂଚନା ଦିଆଯାଇଛି । ସେପଟେ ବର୍ଷା ପ୍ରଭାବରେ ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ବର୍ଷା ଲାଗି ରହିଲେ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି ।
ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । ସେହିପରି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଝଡି଼ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତାକାଲି ଓ 11 ତାରିଖ (ମଙ୍ଗଳବାର) ବର୍ଷା ଲାଗି ରହିବ । ଗଜପତି, ଗଞ୍ଜାମ, ଜଗତସିଂହପୁର, କଟକ, ପୁରୀ, ଖୋରଧା, ନୟାଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡି଼ ଓ ଝଟକା ପବନ 30-40 କିମି ବେଗରେ ବହିବାର ସମ୍ଭାବନା ଥିବା ବେଳେ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
12 ତାରିଖରେ ବର୍ଷା ସାମାନ୍ୟ ବଢ଼ିବ । ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବାଲେଶ୍ବର, ମୟୂରଭଞ୍ଜ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ବର୍ଷା ସହ ବଜ୍ରପାତ ରହିବ । ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।




