
ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ବହୁଚର୍ଚ୍ଚିତ ତିଖିରି ସରପଞ୍ଚ ଚମେଲୀ ଓଝାଙ୍କ ଅଭିଯୋଗକ୍ରମେ ଜାତୀୟ ମାନବାଧିକାର କମିଶନ କଠୋର ଆଭିମୁଖ୍ୟ ଗ୍ରହଣ କରି ସରଜମିନ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ୩ ଜଣିଆ ତଦନ୍ତକାରୀ ଟିମ୍ ଆସନ୍ତା ଅକ୍ଟୋବର ୫ରେ କେନ୍ଦ୍ରାପଡା ଗସ୍ତରେ ଆସି ୯ ପର୍ଯ୍ୟନ୍ତ ସରଜମିନ୍ ତଦନ୍ତ କରିବେ । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ।
ସୂଚନା ଅନୁସାରେ, ୨୦୨୬ ଜୁନ୍ ୧୧ରେ ମହାକାଳପଡା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ଓ ଏହାସହ ଜଡିତ ଥାନାରେ ରୁଜୁ ୩ଟି ମାମଲାରେ ଏନଏଚଆରସିଙ୍କ ଟିମ୍ ତଦନ୍ତ କରିବେ ବୋଲି ଜଣାପଡିଛି । ଏନଏଚଆରସିର ବରିଷ୍ଠ ଏସପି ଇସାମ ସିଂହ, ଗୁଗନ ରାମ ଓ ଶଶୀବାଲା ଶର୍ମାଙ୍କୁ ନେଇ ଗଠିତ ତଦନ୍ତକାରୀ ଟିମ୍ ଚଳିତମାସ ୫ ତାରିଖ ଅପରାହ୍ନ ୩ଟା ୧୦ରେ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ସିଧାସଳଖ କେନ୍ଦ୍ରାପଡା ଯିବେ । ୯ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏହି ୩ଜଣିଆ ଟିମ୍ କେନ୍ଦ୍ରାପଡାରେ ରହି ଚମେଲି ଓଝାଙ୍କ ସହ ଜଡିତ ମାମଲାର ସରଜମିନ୍ ତଦନ୍ତ କରିବେ । ୨୦୨୬ ଜୁନ ୧୧ ତାରିଖରେ ମହାକାଳପଡା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ଓ ଏହା ସହ ଜଡିତ ଥାନାରେ ରୁଜୁ ୩ଟି ମାମଲାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ବୟାନ ରେକର୍ଡ କରାଯିବ ବୋଲି ଏନଏଚଆରସିଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯାଇଛି ।







