
କଟକ: ପୁରୀ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ରେକର୍ଡ ଅଫ ରାଇଟ୍ସ (ଆରଓଆର) ସଂଶୋଧନ ପ୍ରକ୍ରିୟାରେ ଉପୁଜିଥିବା ଅନିୟମିତତା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ଏପରି ଜମିର ଆରଓଆର ବିବାଦର ଫଇସଲା ପାଇଁ ପୂର୍ବରୁ ସରକାରଙ୍କ ଦ୍ୱାରା ଗଠିତ ‘ସ୍ପେଶାଲ ରିଭିଜନାଲ କୋର୍ଟ’ ଏବେ ବି କାର୍ଯ୍ୟକ୍ଷମ ଅଛି କି ନାହିଁ ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍ପେଶାଲ ରିଭିଜନାଲ କୋର୍ଟ କାର୍ଯ୍ୟକ୍ଷମ ଅଛି କି ନାହିଁ ସେ ନେଇ ସତ୍ୟପାଠ ମାଧ୍ୟମରେ ଦୁଇ ସପ୍ତାହ ଭିତରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧା ଜିଲ୍ଲା ଜଟଣୀର ‘ପୂର୍ବତନ ଏଖରାଜାତ ମହଲା ରୟତ ସୁରକ୍ଷା କମିଟି’ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨୦ଟି ଗାଁର ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ଆରଓଆରରେ ଉଲ୍ଲେଖ ତଥ୍ୟରେ ସଂଶୋଧନ କାର୍ଯ୍ୟ ଶେଷ କରିଥିବା ବେଳେ ୩୬ଟି ଗାଁକୁ କାହିଁକି ବାଦ୍ ଦେଲେ ସେ ନେଇ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ପ୍ରଶ୍ନ ଉଠିଥିଲା ।ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସରକାର ସ୍ୱତନ୍ତ୍ର ରିଭିଜନାଲ କୋର୍ଟ ପ୍ରତିଷ୍ଠା କରି କ୍ୟାମ୍ପ ଜରିଆରେ ବିବାଦର ବିଚାର/ ସମାଧାନ କରିବା ସହ ଅଧିକାଂଶ ତଥା ୧୨୦ଟି ଗାଁରେ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା ଜମିର ଆରଓଆରରେ ସଂଶୋଧନ ପ୍ରକ୍ରିୟା ଶେଷ କରିଛନ୍ତି । କିନ୍ତୁ ଅବଶିଷ୍ଟ ୩୬ଟି ଗାଁକୁ ଏହି ପ୍ରକ୍ରିୟାକୁ କଣ ପାଇଁ ବାଦ ଦିଆଯାଇଛି ତାହା ଅସ୍ପଷ୍ଟ ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ, ‘ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫’ରେ ଥିବା ବ୍ୟବସ୍ଥା ଅନୁସାରେ ଅଭିଯୋଗର ସମାଧାନ ପାଇଁ ଏକ ଫୋରମ ରହିଛି । ଏହାର ସୁବିଧା ଜଣେ ପ୍ରଭାବିତ ନେଇ ପାରିବେ । ଯଦି ସେହି ଫୋରମ ପୂର୍ବରୁ ଉପଲବ୍ଧ ଥିଲା ତେବେ ସରକାରଙ୍କ ଦ୍ୱାରା ସ୍ପେଶାଲ ରିଭିଜନାଲ କୋର୍ଟ ଗଠନ କରିବାର କଣ ଆବଶ୍ୟକତା ଥିଲା ସେ ନେଇ ଶୁଣାଣି ବେଳେ ପ୍ରଶ୍ନ ଉଠିଥିଲା । ଏହାପରେ ହାଇକୋର୍ଟ ସ୍ପେଶାଲ ରିଭିଜନାଲ କୋର୍ଟ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଅବଗତ କରିବାକୁ ସରକାରଙ୍କୁ କହିବା ସହିତ ମାମଲାର ପରବର୍ତ୍ତୀ ଅକ୍ଟୋବର ୧୪କୁ ଧାର୍ଯ୍ୟ କରିଛନ୍ତି ।







