
ଭୁବନେଶ୍ବର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସ୍ଟିଏଫ୍କୁ ଆଉ ଏକ ସୁରାକ୍ ମିଳିଛି। ଓରାଙ୍ଗଉଟାନ ଚାଲାଣ ଚେର ବିଦେଶକୁ ଲମ୍ବିଛି। ଇଣ୍ଡୋନେସିଆରୁ ବାଂଲାଦେଶ, ଭାରତରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି ସାମ୍ରାଜ୍ୟ। ବିଦେଶରେ ରହି ମାଫିଆ ପରିଚାଳିତ କରୁଥିବା ତଦନ୍ତରୁ ସାମ୍ନାକୁ ଆସିଛି। ବଡ଼ଧରଣର ସିଣ୍ଡିକେଟ୍ ଦ୍ବାରା ଓରାଙ୍ଗଉଟାନ ଡିଲ୍ ଓ ଚାଲାଣ କରାଯାଉଥିବାରୁ ୮ଦିନ ପରେ ବି ଘଟଣାର ରହସ୍ୟ ଏସଟିଏଫ୍ ଖୋଲି ପାରୁନି। କେବଳ ଦୀଘାର ହୋଟେଲ ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କ ସମ୍ପୃକ୍ତି ସନ୍ଦେହ କରୁଛି। ସେମାନଙ୍କ ହାୱଡ଼ାସ୍ଥିତ ଘରେ ଚଢ଼ଉ କରିଥିଲା। ସେମାନଙ୍କୁ ନପାଇ ପରିବାରର ସଦସ୍ୟଙ୍କୁ ପଚରାଉଚରା କରି ଫେରି ଆସିଛି। ତେଣୁ ତଦନ୍ତ ପାଇଁ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ାଯିବ। ଏଥିପାଇଁ ଏସ୍ଟିଏଫ୍ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଅନୁରୂପ ଭାବେ, ୨ ମାସ ଧରି କଲକାତା, ବିହାର ଓ ଝାଡ଼ଖଣ୍ଡର ମାଫିଆଙ୍କୁ ନେଇ ବଡ଼ଧରଣର ଷଡଯନ୍ତ୍ର ସହ ଡିଲ୍ ଚାଲୁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଯାଇଛି। ଏସ୍ଟିଏଫ୍ର ଏକାଧିକ ଦଳ ବିଭିନ୍ନ ରାଜ୍ୟରେ ଚଢ଼ଉ କରି ସନ୍ଦିଗ୍ଧଙ୍କୁ ଜେରା କରୁଛି। ଏଥିରେ ଓଡ଼ିଶାର କିଛି ମାଫିଆଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ଏସ୍ଟିଏଫ୍ର ବରିଷ୍ଠ ଅଧିକାରୀଙ୍କୁ ପ୍ରତ୍ୟେକ ଦିନ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଉଛି। ଅନ୍ତର୍ଜାତୀୟ ୱାଇଲ୍ଡଲାଇଫ୍ ରାକେଟ୍ ସୁରାକ ମିଳିବା ପରେ ସିସିଟିଭି ଓ ମୋବାଇଲ ଡମ୍ପ ଦ୍ବାରା ମାଫିଆଙ୍କ ଗତିବିଧି ଯାଞ୍ଚ କରାଯାଉଛି।







